ପାଇକା ମହୋତ୍ସବ ୨୦୨୬ ଅନୁଷ୍ଠିତ

ନୃତ୍ୟରେ ମନମୋହିଲେ “ନୃତ୍ୟଶାଳା” କଟକର ଶିଳ୍ପୀ

କଟକ, ୨୬/୦୩: ଓଡ଼ିଶାର ନଦନଦୀର ଆଧ୍ୟାତ୍ମିକତାକୁ ଆଧାର କରି ସାଂସ୍କୃତିକ ଜାଗରଣ ଆରମ୍ଭ ହେବାରେ ଲାଗିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ମଧ୍ୟସ୍ଥ ସୀମାବର୍ତ୍ତୀ ପାଇକା ନଦୀ ପୁଣ୍ୟତୋୟା ମାଆଗଙ୍ଗାଙ୍କ ଭଳି ଅଂଚଳବାସୀଙ୍କୁ ଧନଧାନ୍ୟପୂର୍ଣ୍ଣ ଶସ୍ୟ ଶ୍ୟାମଳା ଓ ଚିରସବୁଜିମାମୟ କରିବା ସହ ଅଧ୍ୟାତ୍ମିକ ଭାବ ସୃଷ୍ଟି କରିଛି। ପୁରାଣ ବର୍ଣ୍ଣିତ ପାଇକା ନଦୀ କୂଳରେ ପୋତାରୀ, ବତିରା, ମଙ୍ଗରାଜପୁର ଠାରେ ଦୀର୍ଘ ୧୫ ବର୍ଷ ହେବ ଫ୍ରେଣ୍ଡ୍ସ ୟୁଥ କ୍ଲବ ଦ୍ୱାରା “ପାଇକା ମହୋତ୍ସବ” ମହା ସମାରୋହରେ ପାଳିତ ହୋଇ ଆସୁଛି।

ଏଥିରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆମନ୍ତ୍ରିତ କଟକସ୍ଥିତ “ନୃତ୍ୟଶାଳା” ସଂସ୍କୃତି କେନ୍ଦ୍ରର ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ, ଡ଼କ୍ଟର ସଂଗୀତା ସାହୁ, ଅଭିଲିପ୍ସା ସେଠି, ବୈଷ୍ଣବୀ ସାହୁଙ୍କ ଦ୍ୱାରା ଅତୀବ ଭାବରସାତ୍ମକ ଆଧ୍ୟାତ୍ମଭରା ଓଡିଶୀନୃତ୍ୟ ସାହସ୍ରାଧିକ ଦର୍ଶକଙ୍କୁ ଆମୋହିତ କରିଛି। ଅନୁଷ୍ଠାନର ସଭାପତି ପ୍ରତାପ କୁମାର ମଲ୍ଲିକ, ବରିଷ୍ଠ ସଦସ୍ୟ ତ୍ରିଲୋଚନ ଦାସ ଓ ମୁଖ୍ୟ ସଂଯୋଜକ ସର୍ବେଶ୍ୱର ଦାସ ନୃତ୍ୟ ଶିଳ୍ପୀଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ଭର୍ଦ୍ଧିତ କରିଥିଲେ।