ବରଗଡ଼, ୨୬/୦୩: ବରଗଡ଼ ଜିଲ୍ଲା ଗୁଡେଶିରା ଗ୍ରାମରେ ବାସନ୍ତୀକ ଲୋକ ମହୋତ୍ସବ-୨୦୨୬ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।
ମହୋତ୍ସବର ଶୁଭାରମ୍ଭ ସମାରୋହରେ ବିକାଶ ଗ୍ରୁପ୍ର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଡି. ମୁରଲୀ କ୍ରିଷ୍ଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅବସରରେ ବିଶିଷ୍ଟ ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକକଳା ଓ ଲୋକ ମହୋତ୍ସବର ଗୁରୁତ୍ୱ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ଲୋକକଳା ହେଉଛି ଆମ ମାଟିର ପ୍ରକୃତ ପରିଚୟ ଏବଂ ଏଭଳି ମହୋତ୍ସବ ଆମର ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ସହାୟକ ହେବ।
ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅତିଥି ଭାବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି କିଶୋର ଦାଶ ମଞ୍ଚାସୀନ ରହି ସାଂସ୍କୃତିକ ଜାଗରଣ ଉପରେ ନିଜର ମତ ପ୍ରକାଶ କରିଥିଲେ। ବିଶିଷ୍ଟ କ୍ରୀଡ଼ାବିତ୍ ହର ପ୍ରଧାନ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷ କରି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସହଯୋଗ କରାଯାଇଛି, ଯାହା କାର୍ଯ୍ୟକ୍ରମକୁ ଆହୁରି ସଫଳ କରିଛି।
ଗୁଡେଶିରା ଓ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଓ କଳାପ୍ରେମୀ ଏହି ମହୋତ୍ସବକୁ ମନଭରି ଉପଭୋଗ କରିଥିଲେ। ବାସନ୍ତୀକ ପରିବେଶରେ ଲୋକକଳାର ଏହି ମହାକୁମ୍ଭ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉନ୍ମାଦନା ଭରିଦେଇଛି।