ନଦୀକୁ ଖସିଲା ବସ୍: ୨୩ ମୃତ

ଉଦ୍ଧାର କାର୍ଯ୍ୟ ଜାରି, ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା

ଢାକା, ୨୬/୦୩: ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀରେ ଖସିପଡ଼ିବାରୁ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି। ଉଦ୍ଧାରକାରୀ ଦଳ ନିଖୋଜ ଥିବା ଲୋକମାନଙ୍କୁ ଖୋଜାଖୋଜି କରୁଛନ୍ତି।

ଏପର୍ଯ୍ୟନ୍ତ ୨୩ଟି ମୃତଦେହ ଉଦ୍ଧାର କରାଯାଇଛି, କିନ୍ତୁ ଆହୁରି ଅଧିକ ଲୋକ ଫସି ରହିଥିବାର ସମ୍ଭାବନା ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ବୁଧବାର ଏହି ଦୁର୍ଘଟଣା ଘଟିଥିବା ବେଳେ ରାତି ହୋଇଯିବାରୁ, ଉଦ୍ଧାର କାର୍ଯ୍ୟ କିଛିଟା ବନ୍ଦ ରହିଥିଲା, କିନ୍ତୁ ମିଳିତ ଉଦ୍ଧାର କାର୍ଯ୍ୟ ଏବେ ଜାରି ରହିଛି।”

ଦୌଲତଦିଆର ଫେରି ଟର୍ମିନାଲ ନମ୍ବର ୩ ନିକଟରେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାଜବାରୀରୁ ଢାକା ଯାଉଥିବା ବସ୍ ଟି ଏକ ଫେରିରେ ଯାଉଥିବା ବେଳେ ନଦୀ ଭିତରକୁ ଖସି ପଡ଼ିଥିଲା। ଅଧିକାରୀମାନେ କହିଛନ୍ତି ଯେ ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ତେବେ ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଛନ୍ତି ଯେ, ବସ୍ ଟି ରାସ୍ତାରେ ଅଧିକ ଯାତ୍ରୀମାନଙ୍କୁ ଉଠାଇବାରୁ ଭାରସାମ୍ୟ ହରାଇ ବସ୍ ଟି ନଦୀ ଭିତରକୁ ଆସି ପଡ଼ିଥିଲା।

ଘଟଣା ପରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତି ୧୧.୩୦ ସୁଦ୍ଧା ଏକ କ୍ରେନ୍ ସାହାଯ୍ୟରେ ସମ୍ପୂର୍ଣ୍ଣ ବସ୍‌ଟିକୁ ଉପରକୁ ଉଠାଯାଇଥିଲା।