ରାୟଭରମ, ୨୬/୦୩: ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଘରୋଇ ଟ୍ରାଭେଲ ବସ୍ କୁ ଏକ ଟ୍ରକ ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ଯାହାଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାର୍କାପୁରମ ଜିଲ୍ଲାର ରାୟଭରମ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହରିକୃଷ୍ଣ ଟ୍ରାଭେଲ୍ସର ବସ୍ ଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଅତି କମରେ ୨୦ ଜଣ ଆହତ ଯାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରୁଛନ୍ତି କର୍ତ୍ତୃପକ୍ଷ।