ନୂଆଦିଲ୍ଲୀ, ୨୬/୦୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସେନା ମେଡାଲ୍/ନୌସେନା ମେଡାଲ୍/ବାୟୁ ସେନା ମେଡାଲ୍ ପୁରସ୍କୃତଙ୍କୁ ମିଳିବ ରେଲୱେ ସୁବିଧା। ଭାରତୀୟ ରେଲୱେ ଦେୟମୁକ୍ତ ଯାତ୍ରା ସୁବିଧା ଯୋଗାଇବାକୁ ଦେଲା ପ୍ରତିଶ୍ରୁତି।
ପ୍ରଥମ ଶ୍ରେଣୀ/2 AC/AC ଚେୟାର୍ କାର୍ରେ ଆଜୀବନ ମାଗଣା ଯାତ୍ରା କରିପାରିବେ। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହିତ ଜଣେ ସହଯାତ୍ରୀ ମଧ୍ୟ ଯାତ୍ରା କରିପାରିବେ। ଏହି ସୁବିଧା କେବଳ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସୀମିତ ନୁହେଁ ବରଂ ସେମାନଙ୍କ ପରିବାର ପାଇଁ ମଧ୍ୟ ଉପଲବ୍ଧ। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବିଧବା ପତ୍ନୀ ଯଦି ପୁନର୍ବିବାହ କରି ନ ଥାନ୍ତି ସେ ମଧ୍ୟ ଏହି ସୁବିଧା ପାଇବେ। ପୁରସ୍କାର ପ୍ରାପ୍ତ ଯଦି ଅବିବାହିତ ଓ ମୃତ ଅଛନ୍ତି ତାହାଲେ ତାଙ୍କ ପିତାମାତା ମଧ୍ୟ ଏହି ସୁବିଧା ପାଇବେ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦେଶର ପ୍ରତିରକ୍ଷାରେ ଅସାଧାରଣ ସାହସ ଏବଂ ବଳିଦାନ ପ୍ରଦର୍ଶନ କରିଥିବା ସୈନିକମାନଙ୍କ ପ୍ରତି କୃତଜ୍ଞତା ଏବଂ ସମ୍ମାନର ପ୍ରତୀକ। ଏହି ନିଷ୍ପତ୍ତି କେବଳ ବୀରତ୍ୱ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରିବା ପାଇଁ ନୁହେଁ ବରଂ ସେମାନଙ୍କ ପରିବାରକୁ ସାମାଜିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ।
ଏପରି ପଦକ୍ଷେପ ସାମରିକ କର୍ମଚାରୀ ଏବଂ ସେମାନଙ୍କ ପରିବାରର ମନୋବଳକୁ ବୃଦ୍ଧି କରିବ। ଏହା ଯୁବପିଢ଼ିଙ୍କୁ ସାମରିକ ବାହିନୀରେ ଯୋଗଦେବା ଏବଂ ଦେଶ ସେବା କରିବା ପାଇଁ ପ୍ରେରଣା ଦେବ।