ସେଲ୍, ରାଉରକେଲା ଇସ୍ପାତ କାରଖାନାରେ ୧୫ତମ ‘ଇଡି-ୱର୍କ୍ସ, କୌଶଳ ଉତ୍କର୍ଷ ପୁରସ୍କାର’ ବଣ୍ଟନ ସମାରୋହ ଆୟୋଜିତ
‘ପରିବର୍ତ୍ତନଶୀଳ ଅର୍ଥନୀତିରେ କୌଶଳ ବୃଦ୍ଧି ଅତ୍ୟାବଶ୍ୟକ ବ୍ୟକ୍ତିବିଶେଷ ସହ ସଂଗଠନଗୁଡ଼ିକୁ ଲାଭ ପହଞ୍ଚାଏ’
ରାଉରକେଲା, ୨୭/୦୩: ସେଲ୍, ରାଉରକେଲା ଇସ୍ପାତ କାରଖାନା ର ଗୋପବନ୍ଧୁ ପ୍ରେକ୍ଷାଳୟରେ ମାର୍ଚ୍ଚ ୨୭ ତାରିଖ ଦିନ ୧୫ତମ “ଇଡି-ୱର୍କ୍ସ, କୌଶଳ ଉତ୍କର୍ଷ ପୁରସ୍କାର’ ପୁରସ୍କାର ବଣ୍ଟନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବି.ଆର. ପଲାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ପଲାଇ, କୌଶଳ ବିକାଶ କିପରି ଉନ୍ନତ ଜ୍ଞାନ ଏବଂ ଦକ୍ଷତା ନିର୍ମାଣର ଏକ ପ୍ରକ୍ରିୟା ରୂପେ ବ୍ୟକ୍ତିଙ୍କୁ ଉନ୍ନତ ପ୍ରଦର୍ଶନ କରିବାରେ ସାହାଯ୍ୟ କରେ ସେ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ସମ୍ପ୍ରତି ଦ୍ରୁତ ପରିବର୍ତ୍ତନଶୀଳ ଅର୍ଥନୀତିରେ କୌଶଳ ବୃଦ୍ଧି ଅତ୍ୟାବଶ୍ୟକ ଯାହା କେବଳ ବ୍ୟକ୍ତି ନୁହେଁ ବରଂ ସଂଗଠନଗୁଡ଼ିକୁ ମଧ୍ୟ ଲାଭ ପହଞ୍ଚାଏ ବୋଲି ସେ, ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପ୍ରତିଯୋଗୀତା ପାଇଁ ଶୁଭକାମନା ଜଣାଇଥିଲେ।
ପ୍ରାରମ୍ଭରେ, ମାନବ ସମ୍ବଳ (ଜ୍ଞାନାର୍ଜନ ଓ ବିକାଶ) ବିଭାଗର ସିଜିଏମ ଶ୍ରୀ ପି କେ ସାହୁ ସମାବେଶକୁ ସ୍ଵାଗତ କରିବା ସହ ବିଗତ ବର୍ଷଗୁଡ଼ିକରେ ଉକ୍ତ ପ୍ରତିଯୋଗିତାର ଯାତ୍ରା ଉଲ୍ଲେଖ କରିଥିଲେ। ପରେ ମାନବ ସମ୍ବଳ (ଜ୍ଞାନାର୍ଜନ ଓ ବିକାଶ) ବିଭାଗର ଜିଏମ ଶ୍ରୀ ଏଚ୍. ପତି ପ୍ରତିଯୋଗିତାର ଏକ ସଂକ୍ଷିପ୍ତ ଇତିହାସ ଏବଂ ଆଭିମୁଖ୍ୟ ସହ ଏହାର ଭବିଷ୍ୟତ ରୂପରେଖ ବର୍ଣନା କରିଥିଲେ।
ଉଲ୍ଲେଖନୀୟ ଯେ, ଆରଏସପି ଓ ଓଡିଶା ଖଣି ସମୂହରୁ ମୋଟ ୧୪୮ ଜଣ ପ୍ରତିଯୋଗୀ ୮ଟି ଭିନ୍ନ ଭିନ୍ନ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା ବେଳେ ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ୩ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କୌଶଳ ଉତ୍କର୍ଷ ପ୍ରତିଯୋଗିତାରେ ବିଜେତା ଆଗାମୀ ସମୟରେ ସିଆଇଆଇ ଦ୍ୱାରା କୋଲକାତା ଠାରେ ଆୟୋଜନ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହେବେ। ସେହିପରି ଆଞ୍ଚଳିକ ରାଉଣ୍ଡର ବିଜେତାମାନେ ପରବର୍ତୀ ସମୟରେ ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ ।
ସୂଚନା ଯୋଗ୍ୟ ଯେ, ପ୍ରତିଯୋଗିତା ସମୟରେ ମୂଲ୍ୟାଙ୍କିତ ହୋଇଥିବା କୌଶଳ ମଧ୍ୟରେ ରହିଛି ହାଇଡ୍ରୋଲିକ୍ସ, ଟର୍ନର, ଫିଟର, ୱେଲ୍ଡର, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ ମେକାନିକ୍, ଇନ୍ସଟ୍ରୁମେନ୍ଟେଶନ ମେକାନିକ୍ ଏବଂ କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଂ।
ଏହି ପୁରସ୍କାର ସମାରୋହକୁ ମାନବ ସମ୍ବଳ ଜ୍ଞାନାର୍ଜନ ଓ ବିକାଶ ବିଭାଗର ସିନିୟର ମ୍ୟାନେଜର ଶ୍ରୀ ଏଲ କେ ମାରାଣ୍ଡି ସଂଯୋଜନା କରିଥିଲାବେଳେ ବିଭାଗର ଜିଏମ ଶ୍ରୀ ଏମ କେ ଅଗରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କାରଖାନାର ବହୁ ସିଜିଏମ ଏବଂ ବିଭାଗୀୟ ମୁଖ୍ୟଙ୍କ ସହ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ।