ସମ୍ବଲପୁର, ୨୭/୦୩: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ରାଜ୍ଯରେ ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM) ସମ୍ବଲପୁର ସହିତ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି। ଏମ୍.ସି.ଏଲ୍ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ଅଧୀନରେ ଆଇଆଇଏମ୍ କ୍ୟାମ୍ପସରେ ୪୫୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ୪୪.୫୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ।
ଶ୍ରୀ ଜ୍ୟୋତିର୍ମୟ ସିହ୍ନା, ମହାପ୍ରବନ୍ଧକ (ସିଏସଆର), ଏମ୍.ସି.ଏଲ୍. ଏବଂ ଆଇ.ଆଇ.ଏମ୍, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସୱାଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
ଏହି ପ୍ରକଳ୍ପ ଅଧୀନରେ ଲିଫ୍ଟ ସୁବିଧା, ସୌର ଜଳ ଉତ୍ତାପ ବ୍ଯବସ୍ଥା, ସି.ସି.ଟି.ଭି., ଅଗ୍ନି ନିରାପତ୍ତା ବ୍ଯବସ୍ଥା ଏବଂ ଶୀତତାପ ନିୟନ୍ତ୍ରିତ ବ୍ଯବସ୍ଥା ଭଳି ଆଧୁନିକ ସୁବିଧା ସହିତ ତିନୋଟି (ଜି+5) ଛାତ୍ରାବାସ ଭବନ ନିର୍ମାଣ କରାଯିବ । ଏହାଦ୍ୱାରା ଆଇ. ଆଇ. ଏମ୍. ସମ୍ବଲପୁରରେ ଆବାସିକ ସୁବିଧାଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ଦେଖାଯିବ ଏବଂ ଛାତ୍ରୀମାନଙ୍କୁ ପ୍ରବନ୍ଧନ ଶିକ୍ଷା ଗ୍ରହଣ କରିବା ପାଇଁ ଉତ୍ତମ ସୁଯୋଗ ମିଳିବ।
ଏହି ପଦକ୍ଷେପ ଶିକ୍ଷା ମାଧ୍ଯମରେ ସାମାଜିକ ବିକାଶ ଏବଂ ମହିଳା ସଶକ୍ତିକରଣ ପ୍ରତି ଏମସିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।