ଗୁଡେଶିରା ସମଲେଶ୍ବରୀ ପୀଠରେ ବାସନ୍ତୀକ ପୂଜା ଉଦଯାପିତ

ମହାଦଶମୀରେ ମା’ଙ୍କ ରାଜରାଜେଶ୍ବରୀ ବେଶରେ ଅପୂର୍ବ ଦର୍ଶନ

ବରଗଡ଼, ୨୭/୦୩: ବରଗଡ଼ ସହର ଉପକଣ୍ଠସ୍ଥ ପ୍ରସିଦ୍ଧ ଗୁଡେଶିରା ମା’ ସମଲେଶ୍ବରୀଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି ପବିତ୍ର ବାସନ୍ତୀକ ଦୁର୍ଗାପୂଜା। ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ଏହି ଦଶଦିନାତ୍ମକ ପୂଜା ଆଜି ମହାଦଶମୀ ଅବସରରେ ମା’ଙ୍କ ପୂର୍ଣ୍ଣାହୂତି ଏବଂ ରାଜରାଜେଶ୍ବରୀ ବେଶ ସହିତ ଉଦଯାପିତ ହୋଇଯାଇଛି।

ବାସନ୍ତୀକ ନବରାତ୍ରି ଅବସରରେ ପ୍ରତିପଦା ଠାରୁ ଆରମ୍ଭ କରି ମହାଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ବରୀ ପ୍ରତିଦିନ ଭିନ୍ନ ଭିନ୍ନ ଦିବ୍ୟ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ। ଶୈଳପୁତ୍ରୀ, ବ୍ରହ୍ମଚାରିଣୀଙ୍କ ଠାରୁ ଆରମ୍ଭ କରି ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମା’ଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଜି ଅନ୍ତିମ ଦିନରେ ମା’ ଅତି ମନୋରମ ତଥା ଭବ୍ୟ ରାଜରାଜେଶ୍ବରୀ ବେଶରେ ସଜ୍ଜିତ ହୋଇଥିଲେ। ମା’ଙ୍କର ଏହି ମହିମାମୟ ରୂପକୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ବିଭୋର ହୋଇଉଠିଥିଲେ।

ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ, ପଣ୍ଡିତ ଓ ସେବାୟତଙ୍କ ଦ୍ୱାରା ଯଜ୍ଞଶାଳାରେ ମନ୍ତ୍ରପାଠ ଏବଂ ହୋମଯଜ୍ଞ କରାଯାଇଥିଲା। ଆଜି ମଧ୍ୟାହ୍ନରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇ ବିଶ୍ୱର ମଙ୍ଗଳ ତଥା ଅଞ୍ଚଳର ଶୁଭ ମନାସି ପ୍ରାର୍ଥନା କରାଯାଇଥିଲା। ଘଣ୍ଟ, ଶଙ୍ଖ ଏବଂ ହୁଳହୁଳି ଶବ୍ଦରେ ସମଗ୍ର ଗୁଡେଶିରା ଗ୍ରାମ ଏକ ପବିତ୍ର ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା।

ପୂର୍ଣ୍ଣାହୂତି ପରେ ମା’ଙ୍କ ନିକଟରେ ସ୍ୱତନ୍ତ୍ର ମହାଭୋଗ ଅର୍ପଣ କରାଯାଇଥିଲା। ପରେ ପରେ ଏହି ମହାଭୋଗକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନ୍ନପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା। ପୂଜା କମିଟିର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଶୃଙ୍ଖଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଗୁଡେଶିରା ପୀଠର ଏହି ବାସନ୍ତୀକ ପୂଜା ଅଞ୍ଚଳରେ ଏକ ନିଆରା ପରମ୍ପରା ସୃଷ୍ଟି କରିପାରିଛି।