ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ ୧ରୁ ୫-ଦିନିଆ “ପଖାଳ ଉତ୍ସବ” ଆୟୋଜିତ

ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରଷାଯିବ

ଭୁବନେଶ୍ୱର, ୨୮/୦୩: ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ୱାଦ ନେବା ସହ ଏହାର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସଏଚ୍‌ଏମ୍‌) ପକ୍ଷରୁ ଆସନ୍ତା ଏପ୍ରିଲ ୧ ତାରିଖରୁ ଏକ ୫ ଦିନିଆ ପଖାଳ ଉତ୍ସବର ଆୟୋଜନ କରାଯାଇଛି।

ପ୍ରତ୍ୟେକ ବର୍ଷ ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜିତ ହେବ।

ଓଡ଼ିଶାର ପଖାଳ ପ୍ରେମୀମାନଙ୍କ ନିମନ୍ତେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ପ୍ରକାରର ପଖାଳ ଯଥା ଦହି ପଖାଳ, ଛୁଙ୍କ ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ, ଅଦା ପଖାଳ ସହିତ ଶାଗ ଭଜା, ବଡ଼ିଚୁରା, ଟମାଟୋ ଚଟଣୀ, ମାଛ ଭଜା, ଶୁଖୁଆ ଭଜା, ଛତୁ ପତ୍ରପୋଡ଼ା, ଚିଙ୍ଗୁଡ଼ି ଛେଚା, ମାଛ କଲିଆ, ଛେନା ଭର୍ତା, ଚୁନାମାଛ ଭଜା, କୁକୁଡ଼ା ମାଂସ କଷା, ପୋହଳା ମାଛ ଭଜା, ଚିଙ୍ଗୁଡ଼ି ଝରଝରି ସହିତ ପଣଷ କଠା ପିଠଉ ଭଜା, ଗୋଟା ଭେଣ୍ଡି, ପୋଡ଼ା ଆଳୁ ଭର୍ତା, ଆଳୁ ବାଇଗଣ, ନଡ଼ିଆ ଭଜା, ଆମ୍ବ ଛେଚା ଓ ଆଳୁ କଲରା ବାଟି ତରକାରୀ ଭଳି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରଷା ଯିବ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି।

ଏହି ଉତ୍ସବ ଉତ୍କଳ ଦିବସ ଠାରୁ ପାଂଚ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପରିସରରେ ଅନୁଷ୍ଠିତ ହେବ। ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାଙ୍ଗକୁ ସେମାନେ ପାରମ୍ପରିକ ବେଶଭୁଷା ପରିଧାନ କରି ଖାଦ୍ୟ ପରଷିବେ।

ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ। ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ମାନେ ହିଁ ପରିଚାଳନା କରିବେ ବୋଲି ପ୍ରଫେସର ଚଇନି ସୂଚନା ଦେଇଛନ୍ତି।