ଏମ୍.ସି.ଏଲକୁ ତିନିଦିନିଆ ଗସ୍ତରେ କୋଲ୍ ଇଣ୍ଡିଆ ଅଧ୍ଯକ୍ଷ

ତାଳଚେର କୋଲଫିଲ୍ଡସରେ ପ୍ରମୁଖ ଖଣି ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ

ସମ୍ବଲପୁର, ୨୮/୦୩: କୋଲ ଇଣ୍ଡିଆର ଅଧ୍ଯକ୍ଷ ଶ୍ରୀ ବି. ସାଇରାମ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ (ଏମ୍.ସି.ଏଲ୍) କୁ ତିନି ଦିନିଆ ଗସ୍ତର ପ୍ରଥମ ଦିନରେ ତାଳଚେର କୋଲଫିଲ୍ଡସରେ ପ୍ରମୁଖ ଖଣି ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ସେ ଭୁବନେଶ୍ୱରୀ ଅଞ୍ଚଳରେ ନୂତନ ଭାବେ ସ୍ଥାପିତ ଅଟୋମେଟିକ୍ ଟ୍ରକ୍ ଲୋଡିଂ ସିଷ୍ଟମ୍ (ଏଟିଏଲ୍ଏସ୍) ପରିଦର୍ଶନ କରିଥିଲେ ଏବଂ ଭୁବନେଶ୍ୱରୀ ଓସିପି ଓ ଅନନ୍ତ ଓସିପିରେ ପରିଚାଳନା ଅଗ୍ରଗତିର ଆକଳନ କରିଥିଲେ।

ଶ୍ରୀ ସାଇରାମ ଟିମ୍ ଏମ୍.ସି.ଏଲର ନିରନ୍ତର ଏବଂ ଅଭିନବ ଖନନ ଅଭ୍ୟାସ ଓ ପରିଚାଳନା ଦକ୍ଷତା ପାଇଁ ପ୍ରଶଂସା କରିଥିଲେ।

ସେ କର୍ମଚାରୀ କଲ୍ୟାଣ ଏବଂ ସମାବେଶୀ ଅଭିବୃଦ୍ଧି ଉପରେ ଜନ ପ୍ରତିନିଧି ଏବଂ ସଂଘ ଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସମ୍ବୋଧିତ କରି ସେ ସୌର ଏବଂ ଅନ୍ୟାନ୍ୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ବିବିଧତା ଦିଗରେ କୋଲ ଇଣ୍ଡିଆର ରଣନୈତିକ ପଦକ୍ଷେପ ତଥା ସ୍ଥାୟୀ କୋଇଲା ଖନନ କାର୍ଯ୍ଯ ଏବଂ ଧୂଳି ପ୍ରଦୂଷଣର ପ୍ରଭାବଶାଳୀ ପ୍ରଶମନ ପାଇଁ ସାଇଲୋ, ଅଟୋମେଟିକ୍ ଟ୍ରକ୍ ଲୋଡିଂ ସିଷ୍ଟମ୍ (ଏଟିଏଲ୍ଏସ୍) ଇତ୍ୟାଦି ଭଳି ବିଭିନ୍ନ ଟେକ୍ନୋଲୋଜି ଏବଂ ଭିତ୍ତିଭୂମିର ବ୍ଯବହାର ଉପରେ ଆଲୋକପାତ କରିଥିଲେ। “କୋଲ ଇଣ୍ଡିଆ ଦେଶର ୮୦% ଶକ୍ତି ଆବଶ୍ଯକତା ପୂରଣ କରିଥାଏ, ଯାହା ଦୀର୍ଘ ସମୟ ପର୍ଯ୍ଯନ୍ତ ଜାରି ରହିବ”, ବୋଲି ସେ କହିଥିଲେ। ”

ଏହି ଅବସରରେ ଏମ୍.ସି.ଏଲର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ, ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ); ଶ୍ରୀ ଅଜିତ କୁମାର ବେହୁରା, ନିର୍ଦ୍ଦେଶକ (ଅର୍ଥ) ଏବଂ ଶ୍ରୀ ସଞ୍ଜୟ କୁମାର ଝା, ନିର୍ଦ୍ଦେଶକ (ବୈଷୟିକ) ମଧ୍ଯ ଉପସ୍ଥିତ ଥିଲେ।

ଗସ୍ତ ସମୟରେ ଶ୍ରୀ ସାଇରାମ କର୍ମଚାରୀଙ୍କ ପ୍ରତିବଦ୍ଧତା ଓ ଦକ୍ଷତାକୁ ପ୍ରଶଂସା କରିବା ସହ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ଏଥି ସହିତ, ଏମ୍.ସି.ଏଲର ‘ନାରୀ ଶକ୍ତି’ ଉପରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ସ୍ୱତନ୍ତ୍ର ପ୍ରଶଂସା କରିଥିଲେ।