ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦଙ୍କ ଅପମାନଜନକ ମନ୍ତବ୍ୟ
ବିରୋଧ କରି ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର, କଡ଼ା ନିନ୍ଦା କଲେ ମାନସ ମଙ୍ଗରାଜ
ଭୁବନେଶ୍ୱର, ୨୯/୦୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଦେଲେ ଇସ୍ତଫା। କମିଟିର ଅଧ୍ୟକ୍ଷ ପଦରେ ନିଶିକାନ୍ତ ଥିବାରୁ ତାଙ୍କୁ ପ୍ରତିବାଦ କରି ଇସ୍ତଫା ଦେଇଛନ୍ତି ସସ୍ମିତ।
ସସ୍ମିତ କହିଛନ୍ତି, ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟମାନଙ୍କୁ ସମର୍ଥନ କରିବାରେ ଭୂମିକା ଥିଲା।
ଉଲ୍ଲେଖଯୋଗ୍ୟ, ୧୯୬୨ ଚୀନ ଯୁଦ୍ଧ କଥା ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ନିଶିକାନ୍ତ। ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଯୁଦ୍ଧ ଲଢ଼ିଥିଲେ। ଆଉ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏଥିରେ ଭୂମିକା ନିଭାଇଥିଲେ। ଆମେରିକା ସରକାର ଓ ସିଆଇଏ ମଧ୍ୟରେ ସେତୁ ଭାବେ କାମ କରିଥିଲେ। ନେହରୁ USA ରାଷ୍ଟ୍ରଦୁତଙ୍କୁ କହିଥିଲେ ତୁମେ ତୁମ କାମ କର, ମୁଁ ବିଜୁଙ୍କୁ ପଠାଇଛି। ଓଡ଼ିଶାର ଚାରବାଟିଆ ଏୟାର ବେସ୍ରେ ଆମେରିକା ବିମାନକୁ ଆଶ୍ରୟ ଦେଇଥିଲେ ବୋଲି କହିଥିଲେ ନିଶିକାନ୍ତ।
‘ଏକ୍ସ’ ଜରିଆରେ ନିଶିକାନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା କିମ୍ବଦନ୍ତୀ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦିଆଯାଇଥିବା ଆପତ୍ତିଜନକ ଏବଂ ଦାୟିତ୍ୱହୀନ ମନ୍ତବ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି। ଇତିହାସକୁ ବିକୃତ କରିବା ପାଇଁ ଉଦ୍ଦିଷ୍ଟ ଏପରି ଭିତ୍ତିହୀନ ଦାବି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ଗର୍ବ ପ୍ରତି ଅପମାନ। ଏହା କେବଳ ବିଜୁ ବାବୁଙ୍କ ଐତିହ୍ୟ ଉପରେ ଆକ୍ରମଣ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ଭାବନା ଉପରେ ଆକ୍ରମଣ ବୋଲି ସାଂସଦ କଡ଼ା ନିନ୍ଦା କରି କହିଛନ୍ତି।