ଜଗତସିଂହପୁର, ୩୦/୦୩: ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ରସଲପୁର ଗ୍ରାମରେ ମା ବାସନ୍ତୀ ଦୁର୍ଗାଙ୍କ ୨୭ ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିନାତ୍ମକ ଦଶହରା ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀ ତଥା ବିଲ୍ଵଧୀବାସ ପୂଜା କରାଯିବା ପରେ ବୁଧବାର ଦିନ ମହାଶପ୍ତମୀ ବିହିତ ଦେବୀଙ୍କ ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା, କରାଯାଇଥିଲା। ଗୁରୁବାର ମା’ଙ୍କ ମଣ୍ଡପରେ ମହାଷ୍ଟମୀ ପୂଜା ସହିତ ସନ୍ଧିପୂଜା କରାଯାଇଥିଲା। ଶୁକ୍ରବାର ରାମ ନବମୀ ବିହିତ ଚଣ୍ଡୀପାଠ, କୁମାରୀ ପୂଜା, ଯଜ୍ଞ ପୂର୍ଣ୍ଣାହୁତି ପୂଜନୀତି ଅନୁଷ୍ଠିତ ହୋଇଥିଲା।ଶନିବାର ଦଶହରା ଅବସରରେ ମା’ଙ୍କ ଅପରାଜିତା ପୂଜା, ପରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କାଳିକା ନାଚ, କାଠି ଲଉଡ଼ି, ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପୂଜାରେ ବାସନ୍ତୀ ଦୁର୍ଗା ପୂଜା କମିଟିର ସମସ୍ତ କାମକର୍ତ୍ତା, ସଦସ୍ୟ ଉପସ୍ଥିତ ରହିଥିଲେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପୂଜାରେ ସ୍ଥାନୀୟ ଗ୍ରାମବାସୀ ତଥା ଆଖପାଖ ଅଂଚଳର ଶତାଧିକ ଜନସାଧାରଣ ସହଯୋଗ କରିଥିଲେ।