ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ: ଦିଲ୍ଲୀପ ରାୟ
ସାର୍ବଜନୀନ ଭାବେ ନିଃସର୍ତ୍ତ କ୍ଷମା ମାଗନ୍ତୁ ନିଶିକାନ୍ତ: ବାବୁ ସିଂ
ଭୁବନେଶ୍ୱର, ୩୦/୦୩: ବିଜୁ ବାବୁଙ୍କ ପ୍ରତି ମତ ମନ୍ତବ୍ୟ ନେଇ ସାଂସଦ ଦିଲ୍ଲୀପ ରାୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଦିଲ୍ଲୀପ କହିଛନ୍ତି, ବିଜୁ ବାବୁଙ୍କ ଜୀବନ ସାହସ, ତ୍ୟାଗ, ଦୂରଦୃଷ୍ଟି, ଦେଶପ୍ରେମରେ ପରିପୂର୍ଣ୍ଣ ଥିଲା। କେବଳ ଓଡ଼ିଶାର ମହାନ୍ ନେତା ନ ଥିଲେ, ବରଂ ଭାରତରେ ମଧ୍ୟ ପ୍ରତିଷ୍ଠା ପାଇଥିଲେ। ସେ ଜଣେ ବିରଳ ରାଷ୍ଟ୍ରନିର୍ମାତା ଥିଲେ ଯାହାଙ୍କ ଜୀବନ ଏବଂ କାର୍ଯ୍ୟ ଭାରତର ରାଜନୈତିକ ଏବଂ ରଣନୈତିକ ଇତିହାସରେ ଏକ ଅମିଟ ଛାପ ଛାଡ଼ିଥିଲା।
ସ୍ୱାଧୀନତା ସଂଗ୍ରାମ, ଦେଶର ହିତ ପାଇଁ ସାହସିକ ବିମାନ ସେବା ପାଇଁ ସେ ପରିଚିତ। ସ୍ୱାଧୀନତା ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକରେ ତାଙ୍କର ଅବଦାନ ଥିଲା। ଜାତୀୟ କର୍ତ୍ତବ୍ୟ ଯେଉଁଠାରେ ଆହ୍ୱାନ କରୁଥିଲା, ସେଠାରେ ଠିଆ ହେଉଥିଲେ। ସରକାରୀ ପଦବୀ ଠାରୁ ଦୂରରେ ଥାଇ ବି ସେବା ଯୋଗାଇବାରେ ପାରଙ୍ଗମ ଥିଲେ। ଓଡ଼ିଶାବାସୀଙ୍କ ପାଇଁ, ବିଜୁ ବାବୁ ଗର୍ବ, ଐତିହ୍ୟ, ପରିଚୟ ଏବଂ ସମ୍ମାନ। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ।
ସେହିପରି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ମନ୍ତବ୍ୟକୁ ନିନ୍ଦା ସହ ଦୁର୍ଭାଗ୍ୟଜନକ କହିଲେ ବିଜେପି ବିଧାୟକ ବାବୁ ସିଂ। ବିଜୁ ବାବୁ ଓଡ଼ିଶା ଓ ଓଡ଼ିଆ ଜାତିର ସେବା ପାଇଁ ସର୍ବଦା ଚେଷ୍ଟିତ ଥିଲେ। ତାଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟକୁ କଠୋର ଶବ୍ଦରେ ନିନ୍ଦା କରୁଛି। ବ୍ୟକ୍ତି ବିଶେଷ ଯିଏ ହୁଅନ୍ତୁ ନା କାହିଁକି, ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଘଟଣା ସାରା ଓଡ଼ିଶାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ବିଜୁ ବାବୁଙ୍କ ପ୍ରତି ଏଭଳି ଅପଚେଷ୍ଟାରୁ ଦୂରେଇ ରୁହନ୍ତୁ। ନିଜର ଭୁଲ୍ ପାଇଁ ସାର୍ବଜନୀନ ଭାବେ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବାବୁ ସିଂ।