ନିର୍ମାଣଧୀନ ପାଇଖାନା ଟାଙ୍କିରେ ୨ ଶ୍ରମିକ ମୃତ, ୨ ଗୁରୁତର

କ୍ଷତିପୂରଣ ଦାବିରେ ରାସ୍ତା ରୋକ

କୁଚିଣ୍ଡା, ୩୧/୦୩(ଦର୍ଶନ ନ୍ୟୁଜ): କୁଚିଣ୍ଡା ଉପଖଣ୍ଡ କେଶାଇବାହାଲରେ ନିର୍ମାଣଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି |ନିର୍ମାଣ ଧୀନ ପାଇଖାନା ଟାଙ୍କିରେ ଛାତ ପାଇଁ ସେଣ୍ଟ୍ରିଙ୍ଗ କରାଯାଇଥିଲା | ଏହି ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଶ୍ରମିକ ଭିତରକୁ ପଶିଥିଲେ ହେଲେ ସେଫଟି ଟାଙ୍କି ଭିତରେ ଅମ୍ଳଜାନ ଅଭାବରୁ ସ୍ୱାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ିଥିଲେ | ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଜଣକ ପରେ ଜଣେ ଭିତରକୁ ପଶି ଶ୍ୱାସ ରୁଦ୍ଧ ହୋଇ ଅଚେତ ହୋଇଗଲେ | ପରେ ଦମକଳ ବାହିନୀ 4 ଜଣକୁ ଉଦ୍ଧାର ପରେ କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ | ଡାକ୍ତର ଦୁଇ ଜଣ ସୁଶୀଲ କୁମାର ନାଏକ(33), ଭିକାରି ଚରଣ ବେହେରା (50)ଙ୍କୁ ମୃତ ଘୋଷଣା କରିଥିଲେ |ହେମନ୍ତ ବେହେରା ଓ ଆନନ୍ଦ ମାଝିଙ୍କ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା ଚାଲିଛି |

ସୂଚନା ମୁତାବକ ସୁଶୀଲ ନାଏକ ସେନ୍ଟ୍ରିଙ୍ଗ ଖୋଲିବା ପାଇଁ ପ୍ରଥମେ ଭିତରକୁ ପଶିଥିଲେ ତାଙ୍କୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ଭିତରକୁ ପଶି ଫେରି ନଥିଲେ |ପରେ କୁଚିଣ୍ଡା ଦମକଳ ବାହିନୀ ପହଁଚି ପ୍ରଥମେ ଜେସିବି ମେସିନରେ ଟାଙ୍କିକୁ ଭାଙ୍ଗି 4 ଜଣକୁ ଉଦ୍ଧାର ପରେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ |

ମୃତକ ପରିବାରକୁ କ୍ଷତିପୂରଣ ଦାବି ନେଇ କେଶଇବାହାଲ ଠାରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା | ଦୀର୍ଘ ସମୟ ଧରି ହୋଇଥିବା ରାସ୍ତା ରୋକ ଯୋଗୁଁ କୁଚିଣ୍ଡା ବାମରା ରାସ୍ତା ପ୍ରଭାବିତ ହୋଇ ଯାତାୟାତ ଠପ ହୋଇଥିଲା | ପରେ ପ୍ରଶାସନର ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଥିଲା |