ଇସଲାମାବାଦ, ୦୫/୦୪: ପୁଣି ପାକିସ୍ତାନ ମନ୍ତ୍ରୀଙ୍କ ବାଚାଳାମି। ଗଣମାଧ୍ୟମରେ ଖୁଲମଖୁଲା ଭାରତକୁ ଦେଲେ ଚେତାବନୀ। ସିଆଲକୋଟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତକୁ ଧମକ ଦେଇ କହିଛନ୍ତି ଯେ ଯଦି ଭାରତ ଲୁଚିକରି ହମଲା କରେ, ତେବେ ଏହି ସଂଘର୍ଷ ସୀମା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ବରଂ କୋଲକାତା ପର୍ଯ୍ୟନ୍ତ ପହଞ୍ଚିପାରେ।
ଖୱାଜା ଆସିଫ୍ ଦାବି କରିଛନ୍ତି ଯେ ଭାରତ ନିଜ କର୍ମଚାରୀ କିମ୍ବା ବନ୍ଦୀ ପାକିସ୍ତାନୀମାନଙ୍କୁ ବ୍ୟବହାର କରି ଏକ ମିଛ ନାଟକ କରିବାକୁ ଯୋଜନା କରୁଛି। ଗତ ବର୍ଷ ପରି ଏଥର ମଧ୍ୟ ଭାରତ ଆହୁରି ଲଜ୍ଜାର ସମ୍ମୁଖୀନ ହେବ।
ଆସିଫ୍ ଆହୁରି କହିଛନ୍ତି ଯେ ମୃତଦେହଗୁଡ଼ିକୁ କୌଣସି ସ୍ଥାନରେ ରଖି ପାକିସ୍ତାନ ଉପରେ ଆତଙ୍କବାଦର ଅଭିଯୋଗ ଲଗାଯାଇପାରିବ, କିନ୍ତୁ ଭାରତ ଏହି ଦାବି କରି ମଧ୍ୟ କୌଣସି ପ୍ରମାଣ ଦେଇ ନାହାଁନ୍ତି।
ଖାୱାଜା ଆସିଫଙ୍କ ବୟାନ ଉପରେ ଭାରତର କୌଣସି ପ୍ରତିକ୍ରିୟା ଆସିନାହିଁ। ତଥାପି, କେରଳରେ ଏକ କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ସେ କହିଥିଲେ ଯେ ଯଦି ପାକିସ୍ତାନ ଆଉ ଏକ ଭୁଲ୍ ପଦକ୍ଷେପ ନିଏ, ତେବେ ଭାରତୀୟ ସେନା ଏକ ନିର୍ଣ୍ଣାୟକ ଜବାବ ଦେବ। ଅପରେସନ୍ ସିନ୍ଦୁର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏବଂ ଯଦି ପାକିସ୍ତାନ ପୁଣି ଥରେ ନିଜର ମନ୍ଦ ଉଦ୍ଦେଶ୍ୟ ଜାରି ରଖେ, ତେବେ ଭାରତୀୟ ସୈନିକମାନେ ଏପରି ଜବାବ ଦେବେ ଯାହାକୁ ସେମାନେ କେବେ ଭୁଲିପାରିବେ ନାହିଁ।
ଖୱାଜା ଆସିଫ ନିକଟରେ କହିଥିଲେ ଯେ ଭାରତ ଏବଂ ଆଫଗାନ ତାଲିବାନ ସରକାର ମିଳିତ ଭାବରେ ପାକିସ୍ତାନ ବିରୁଦ୍ଧରେ ଏକ ପ୍ରକ୍ସି ଯୁଦ୍ଧ କରୁଛନ୍ତି। ଆବଶ୍ୟକ ହେଲେ ପାକିସ୍ତାନ ଆଫଗାନିସ୍ତାନରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଭାରତ ସହିତ ଯୁଦ୍ଧର ସମ୍ଭାବନା ଏବେ ବି ଶେଷ ହୋଇନାହିଁ।
ପୂର୍ବରୁ ପୂର୍ବତନ ପାକିସ୍ତାନୀ ହାଇକମିଶନର ଅବଦୁଲ ବାସିତ ମଧ୍ୟ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ଯଦି ଆମେରିକା ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ପାକିସ୍ତାନ କୌଣସି ଚିନ୍ତା ନକରି ମୁମ୍ବାଇ ଏବଂ ନୂଆଦିଲ୍ଲୀ ଉପରେ ଆକ୍ରମଣ କରିବା ଉଚିତ।
ସୂଚନାଯୋଗ୍ୟ, ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ, ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଟାର୍ଗେଟ କରି ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ପାକିସ୍ତାନ ଗୁଳି, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ପ୍ରତିଶୋଧ ନେଇଥିଲା। ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ଉତ୍ତେଜନା ଜାରି ରହିଥିଲା। ୧୦ ମେ ୨୦୨୫ରେ ଯୁଦ୍ଧବିରତି ହୋଇଥିଲା। ଭାରତ ସେ ୭ରେ ୧:୩୦ ସମୟରେ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ବିମାନ ଆକ୍ରମଣ କରିଥିଲା। ସେନା କହିଛି ଯେ ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।
ପାକିସ୍ତାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଭାରତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟାଳୟ ଏବଂ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହରର ଆଡ୍ଡା ସମେତ କୋଟଲି, ବାହାୱଲପୁର, ମୁରିଦକେ, ବାଗ ଏବଂ ମୁଜାଫରାବାଦରେ ଆକ୍ରମଣ କରିଥିଲା।