ଚାନ୍ଦବାଲି ବିକାଶ ପରିଷଦ, ଭୁବନେଶ୍ଵରର ଦ୍ଵିତୀୟ ବାର୍ଷିକ ଉତ୍ସବ- ୨୦୨୬ ଅନୁଷ୍ଠିତ
ଚାନ୍ଦବାଲି ବିକାଶ ପରିଷଦର ମୁଖପତ୍ର ଚାନ୍ଦବାଲି ବିଭା ଉନ୍ମୋଚିତ
ଭୁବନେଶ୍ୱର, ୦୫/୦୪: ଚାନ୍ଦବାଲି ବିକାଶ ପରିଷଦ, ଭୁବନେଶ୍ଵରର ଦ୍ଵିତୀୟ ବାର୍ଷିକ ଉତ୍ସବ- ୨୦୨୬ ପୋଖରୀପୁଟସ୍ଥିତ ସ୍ଵାମୀ ବିବେକାନନ୍ଦ କେନ୍ଦ୍ର ସମ୍ମିଳନୀ କକ୍ଷରେ ତା.୦୫.୦୪.୨୦୨୬ରିଖ ପୂର୍ବାହ୍ଣ ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଚାନ୍ଦବାଲି ବିକାଶ ପରିଷଦର ସଭାପତି ନିରୋଦ କୁମାର ରାଉତ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଉପସ୍ଥିତ ଅତିଥି ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସଭାର ଉପସ୍ଥିତ ଅତିଥିମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ପରିଷଦର ସାଧାରଣ ସମ୍ପାଦକ ମହେଶ୍ଵର ବଳ ପରିଷଦର ବାର୍ଷିକ ବିବରଣୀ ପାଠ କରିବା ପରେ ଚାନ୍ଦବାଲି ବିକାଶ ପରିଷଦର ମୁଖପତ୍ର ଚାନ୍ଦବାଲି ବିଭା ଉନ୍ମୋଚିତ ହୋଇଥିଲା । ଚାନ୍ଦବାଲି ବିଭା ପତ୍ରିକା ମୁଖ୍ୟ ସମ୍ପାଦକ ତଥା ବୟୋଜ୍ୟେଷ୍ଠ ଉପଦେଷ୍ଟା ବଂଶୀଧର ଭୋଇ ଚାନ୍ଦବାଲି ବିଭାଗ ପତ୍ରିକା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ।
ଉପସ୍ଥିତ ମୁଖ୍ୟ ଅତିଥି କବି ଡ. ରବିନାରାୟଣ ସେନାପତି, ମାନ୍ୟବର ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ସଭାପତି ଭଦ୍ରକ ସମ୍ମିଳନୀ ପ୍ରଫେସର ଡ. ପ୍ରଭାତ ପାଢ଼ୀ, ଉପଜିଲ୍ଲାପାଳ ଚମ୍ପୁଆ- ଶ୍ରୀଯୁକ୍ତ ଉମାକାନ୍ତ ପରିଡ଼ା, ଇଂ ଜ୍ୟୋତିରଞ୍ଜନ ତ୍ରିପାଠୀ, ଚେୟାରମ୍ୟାନ, କୋହେନ ଇଣ୍ଟର ନ୍ୟାସନାଲ ବିଦ୍ୟାଳୟ, ଖୋର୍ଦ୍ଧା, ମୁଖ୍ୟବକ୍ତା, ବିଶିଷ୍ଟ ଲେଖକା ତଥା ସ୍ତମ୍ଭକାର ଡ. ବାସନ୍ତୀ ମହାନ୍ତି, ପ୍ରଫେସର ଜଗନ୍ନାଥ ଲେଙ୍କା ଆଦି ମଞ୍ଚାସୀନ ହୋଇଥିଲେ ।
ଅନ୍ୟ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଚାନ୍ଦବାଲି ପ୍ରାଚୀନ ଯୁଗରେ ଏକ ସମୃଦ୍ଧିଶାଳୀ ସହର ଗଢ଼ିଉଠିଥିଲା । ଧାମରା ଓ ଚାନ୍ଦବାଲି ଏକ ଅନ୍ତର୍ଜାତୀୟ ନୌବାଣିଜ୍ୟ କେନ୍ଦ୍ର ଥିଲା । ଏହିଠାରୁ ଚାଉଳ, ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ରପ୍ତାନୀ କରୁଥିଲାବେଳେ ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିଲା ଏବଂ ଏହି ଅଞ୍ଚଳରେ ଧାର୍ମିକ ସଂସ୍କୃତି, ପ୍ରନ୍ତାତ୍ତ୍ଵିକ ବିଭବ ଘଣ୍ଟେଶ୍ଵର ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମରେ ବିଭିନ୍ନ ଧର୍ମର ସଭ୍ୟତା ଗଢ଼ି ଉଠିଥୁଲା ତା’ର ସ୍ମାରକୀ ଏବେ ମଧ୍ୟ ବିଦ୍ୟମାନ । ସେହିପରି ମତୋ, ଓରାସାହି, ଚାନ୍ଦବାଲିଠାରେ ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ଏବଂ ଇଂରେଜ ରାଜତ୍ବର ସମୟର ଜାହାଜର ଭଗ୍ନାଂଶ ଏବେ ମଧ୍ଯ ଉଜ୍ଜୀବିତ । ଚାନ୍ଦବାଲି ବିକାଶ ପରିଷଦ ପୂର୍ବ ସ୍ମୃତିର ଇତିହାସକୁ ଲୋକଲୋଚନକୁ ଆଣିବା, ଅଞ୍ଚଳର ସାମାଜିକ କାର୍ଯ୍ୟ, ନିଶା ନିବାରଣ, ଦୈବୀଦୁର୍ବିପାକରେ ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟ, ସାମଗ୍ରିକ ବିକାଶ ଇତ୍ୟାଦି କାର୍ଯ୍ୟଧାରାରେ ବିକାଶ ପରିଷଦ ବ୍ରତୀ ।
ପରିଷଦର କର୍ମକର୍ତ୍ତାମାନଙ୍କ ଦ୍ବାରା ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’ ନାଟକ ପରିବେଷଣ କରାଯାଇଥିଲା ଏବଂ ଚାନ୍ଦବାଲି ଅଞ୍ଚଳର ସମାଜସେବୀ, ବୟଜ୍ୟେଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା ।
ଏହି ସମାରୋହକୁ ପରିଷଦର ଯେଉଁ କର୍ମକର୍ତ୍ତାମାନେ ସହଯୋଗ କରି ସଫଳ କରିଛନ୍ତି ଶ୍ରୀ ଦେବେନ୍ଦ୍ର କୁମାର ବିଶ୍ଵାଳ, ଗୌରହରି ନାୟକ, ସଞ୍ଜୟ ମହାନ୍ତି, ଶମ୍ଭୁନାଥ ପରିଡ଼ା, ମୃତ୍ୟୁଞ୍ଜୟ ନାୟକ, କୋଷାଧ୍ୟକ୍ଷ ମହେନ୍ଦ୍ର ସୂତାର, ସୁବାସ ନାୟକ, ଅମିତ ସ୍ଵାଇଁ, ସୁଶାନ୍ତ ବେହେରା, ଶଙ୍କରଶଣ ପରିଡ଼ା, କ୍ଷୀରୋଦ ନାୟକ ଓ ଅନ୍ୟମାନେ । ସର୍ବଶେଷରେ ପରିଷଦର ସମ୍ପାଦକ ଚିନ୍ମୟ ସ୍ଵାଇଁ ଧନ୍ୟବାଦ ଦେଇଥିଲେ ।