ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ
ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୦୬/୦୪: ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କାମ୍ଭମପାଟି। ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ସଞ୍ଜୟ କୁମାର ପାତ୍ର ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ଅସୀମା ସାହୁ ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ପବନ କୁମାର ଅଗ୍ରୱାଲ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ଶିବରାମ ତ୍ରିପାଠୀ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ବିଭୂତି ଭୂଷଣ ମଲିକ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ଜ୍ୟୋସ୍ନା କେବି ରାଉତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ହୃଷିକେଶ ସେନାପତି ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କୁଳପତି, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।
ନବନିଯୁକ୍ତ ୧୪ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। `X’ରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିଯୁକ୍ତ ହୋଇଥିବା କୁଳପତିମାନଙ୍କୁ ଶୁଭେଚ୍ଛା। ଆପଣମାନଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଗବେଷଣା ଓ ଇନୋଭେସନ ଆହୁରି ସୁଦୃଢ଼ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜାତୀୟ ଶିକ୍ଷା ନୀତି’ ର ସଫଳ କ୍ରିୟାନ୍ୱୟନ ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ। ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକ ଏକାଡେମିକ୍ ଉତ୍କର୍ଷର ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ଆମର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ଆପଣମାନଙ୍କର ଏହି ନୂତନ ଯାତ୍ରା ଓ ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା।”