ନବ ନିଯୁକ୍ତ କୁଳପତିମାନଙ୍କୁ ଶୁଭେଚ୍ଛା ଜଣାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ
କୁଳପତିମାନଙ୍କ ସଫଳ କାର୍ଯ୍ୟକାଳ ଓ ବିଦ୍ୟାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ
ଭୁବନେଶ୍ୱର, ୦୬/୦୪: ରାଜ୍ୟର ୧୪ଟି ବିଶ୍ୱ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା କୁଳପତିମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “କୁଳପତି ପଦବୀ ଖାଲି ଥିବା ରାଜ୍ୟର ସମସ୍ତ ୧୪ଟି ବିଶ୍ୱବିଦ୍ୟାଳୟ ନିମନ୍ତେ ନୂତନ କୁଳପତି ନିଯୁକ୍ତି କରିଥିବାରୁ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ପାଟିଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସମସ୍ତ ନବନିଯୁକ୍ତ କୁଳପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୁଳପତିମାନଙ୍କର ଅନୁଭବ, ଅଭିଜ୍ଞତା, ଦୂରଦର୍ଶିତା, ଦକ୍ଷତା ଓ ମାର୍ଗଦର୍ଶନରେ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ବୋଲି ମୋର ବିଶ୍ୱାସ। ଆପଣମାନଙ୍କ ସଫଳ କାର୍ଯ୍ୟକାଳ ଓ ବିଦ୍ୟାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି।”