ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ସୁରେଶ୍ୱର ମହାନ୍ତିଙ୍କ ପରଲୋକ

ସ୍ୱର୍ଗତ ମହାନ୍ତିଙ୍କୁ ହସ୍ପିଟାଲ୍ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ

ଭୁବନେଶ୍ୱର, ୧୦/୦୪: ବିଶିଷ୍ଟ ନ୍ୟୁରୋସର୍ଜନ ଓ ଶିକ୍ଷାବିତ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବା ବେଳେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ଝିଅ ଥିଲେ ।

ସ୍ୱର୍ଗତ ମହାନ୍ତି ଭାରତ ସମେତ ବିଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ଡାକ୍ତରୀ ଅନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟ କରିଥିଲେ । କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ ଉପାଧି ଲାଭ କରିବା ପରେ ପ୍ରଫେସର (ଡାକ୍ତର) ମହାନ୍ତି ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଏମ୍ସ), ନୂଆଦିଲ୍ଲୀରୁ ନ୍ୟୁରୋସର୍ଜରୀରେ ଏମ୍‌ସିଏଚ୍ ଶିକ୍ଷା ଗ୍ରହଣ କରିଥିଲେ ।

ପ୍ରଫେସର ମହାନ୍ତି ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚ୍‌ୟୁ) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ସମ୍ପୃକ୍ତ ଅନୁଷ୍ଠାନର ନିର୍ଦ୍ଦେଶକର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ବିଏଚ୍‌ୟୁରୁ ଅବସର ଗ୍ରହଣ କରିବା ପରେ ସେ ଓଡ଼ିଶା ପ୍ରତ୍ୟାବର୍ତନ କରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରତିଷ୍ଠା ନିମନ୍ତେ ସହଯୋଗ କରିଥିଲେ ଏବଂ ତାଙ୍କୁ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷାବିତ ପ୍ରଫେସର (ଡାକ୍ତର) ମହାନ୍ତି ଦେଶ ଏବଂ ବିଦେଶର ସମ୍ମାନଜନକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ଅତ୍ୟାଧୁନିକ ସ୍ନାୟୁଶଲ୍ୟ ସମ୍ବନ୍ଧୀୟ ଜ୍ଞାନ ଓ କାର୍ଯ୍ୟଧାରା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଥିବା ବେଳେ ତାଙ୍କ ଦ୍ୱାରା ପ୍ରାୟ ୧୫୦ଟି ବୈଜ୍ଞାନିକ ସନ୍ଦର୍ଭ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତିକ ଜର୍ନାଲ୍‌ରେ ପ୍ରକାଶିତ ହୋଇଛି । ତାଙ୍କୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌), ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ), ନ୍ୟୁରୋଲଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏନ୍‌ଏସ୍‌ଆଇ) ଏବଂ ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ନାମ୍‌ସ ) ପକ୍ଷରୁ ମଧ୍ୟ ବିଭିନ୍ନ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଯେପରିକି ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ନ୍ୟୁରୋସର୍ଜରୀ, ଲଣ୍ଡନ୍‌, ଦ ବୁଡେଙ୍କୋ ଇନ୍‌ଷ୍ଟିଚ୍ୟୁଟ୍‌, ମସ୍କୋ, ଦ କ୍ଲେଭଲାଣ୍ଡ କ୍ଲିନିକ୍‌, ୟୁଏସ୍‌ଏ ଏବଂ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଥିଲେ ।

ତାଙ୍କୁ ସ୍ନାୟୁଶଲ୍ୟ ଏବଂ ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଗବେଷଣା ନିମନ୍ତେ ଭାରତର ସବୁଠାରୁ ସମ୍ମାନଜନକ ଡାକ୍ତରୀ ସମ୍ମାନ ଡାକ୍ତର ବି.ସି. ରାୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି ।

ସେ ଉତରପ୍ରଦେଶ ନ୍ୟୁରୋ ସାଇନ୍‌ସେସ୍ ସୋସାଇଟି ଏବଂ ନ୍ୟୁରୋଟ୍ରମା ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ସ୍ୱର୍ଗତ ପ୍ରଫେସର ମହାନ୍ତି ନ୍ୟୁରୋଲଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୫ ନିମନ୍ତେ ଲାଇଫ ଟାଇମ୍ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରିବା ନିମନ୍ତେ ମନୋନୀତ କରାଯାଇଥିଲା ।

ତାଙ୍କ ମୃତ୍ୟୁରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ନ୍ୟୁରୋଲଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ ମଧ୍ୟ ପ୍ରଫେସର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଶୁକ୍ରବାର ତାଙ୍କ ମରଶରୀରକୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆର ପୁର୍ବତନ କୁଳପତି ଓ ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ସିନିୟର ପ୍ରଫେସର, ଡାକ୍ତର, ବରିଷ୍ଠ କର୍ମକର୍ତା ଓ ହସ୍ପିଟାଲ୍‌ର କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କୁ ହସ୍ପିଟାଲ୍ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।