‘ନାରୀ ଶକ୍ତି–ଓଡ଼ିଆ ଅସ୍ମିତା’ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

ମହିଳା ସଶକ୍ତିକରଣ ଏକ ଜାତୀୟ ଆବଶ୍ୟକତା ଏବଂ ସମାବେଶୀ ବିକାଶ ପାଇଁ ଅତ୍ୟାବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର, ୧୨/୦୪: ମହିଳା ସଶକ୍ତିକରଣ ଏକ ଜାତୀୟ ଆବଶ୍ୟକତା ଏବଂ ସମାବେଶୀ ବିକାଶ ପାଇଁ ଅତ୍ୟାବଶ୍ୟକ । ଯେଉଁ ସମାଜ ମହିଳାଙ୍କୁ ସମ୍ମାନ ଦିଏ ଏବଂ ସେମାନଙ୍କର ବିକାଶ କରେ, ସେହି ସମାଜ ଶକ୍ତି ଓ ମର୍ଯ୍ୟାଦା ସହ ଅଗ୍ରଗତି କରେ ବୋଲି ଓଡିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ରବିବାର ଦିନ ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ‘ନାରୀ ଶକ୍ତି – ଓଡ଼ିଆ ଅସ୍ମିତା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I

ଏହି କାର୍ଯ୍ୟକ୍ରମକୁ ସମୟୋପଯୋଗୀ ଓ ଅର୍ଥପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହିତ ଏହା ଓଡ଼ିଶାର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ପରିଚୟ ଗଠନରେ ମହିଳାମାନଙ୍କ ଅବଦାନକୁ ସମ୍ମାନିତ କରୁଛି ବୋଲି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ I

ରାଜ୍ୟପାଳ କହିଥିଲେ ଯେ, ମହିଳାମାନେ ପରିବାରର ଭିତ୍ତି, ମୂଲ୍ୟବୋଧର ପ୍ରଥମ ଶିକ୍ଷୟିତ୍ରୀ ଏବଂ ସହାନଭୂତିଶୀଳ ଓ ପ୍ରଗତିଶୀଳ ସମାଜର ନୀରବ ସ୍ଥପତି । ପରିବର୍ତ୍ତିତ ପରିଦୃଶ୍ୟ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଆଜିର ମହିଳାମାନେ ଶାସନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଉଦ୍ୟମିତା, କ୍ରୀଡ଼ା, କଳା ଏବଂ ସଶସ୍ତ୍ର ବାହିନୀ ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରୁଛନ୍ତି । ଆଧୁନିକ ଭାରତୀୟ ମହିଳା ଆତ୍ମବିଶ୍ୱାସୀ, ସକ୍ଷମ ଏବଂ ନିଜ ଅଧିକାରର ନେତୃତ୍ୱ ନେଉଛନ୍ତି ବୋଲି ରାଜ୍ୟପାଳ କହିଥିଲେ ।

ଏହି ରୂପାନ୍ତରଣ ରାଜ୍ୟ ଓ କେନ୍ଦ୍ରସ୍ତରରେ ପ୍ରଗତିଶୀଳ ନୀତି ଏବଂ ଦୂରଦର୍ଶୀ ନେତୃତ୍ୱ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିର ଗୁରୁତ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ମହିଳାମାନେ ଆର୍ଥିକ, ସାମାଜିକ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କଲେ ହିଁ ସମାବେଶୀ ବିକାଶ ସମ୍ଭବ ।

ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବାକୁ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା ଶାସନରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇ ଗଣତନ୍ତ୍ରକୁ ମଜବୁତ କରିବ ।

ଏତତବ୍ୟତୀତ ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଓଡ଼ିଆ ଅସ୍ମିତା ରାଜ୍ୟର ଐତିହ୍ୟରେ ଗଭୀର ଭାବେ ପ୍ରତିଫଳିତ ଏବଂ ମହିଳାମାନେ ଏହାର ସଂରକ୍ଷଣ ଓ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ମହିଳା ନେତୃତ୍ୱାଧୀନ ବିକାଶ ଏକ ବିକଶିତ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଛନ୍ତି ।

ଏପରି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦ ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ଏହା ସକରାତ୍ମକ ସାମାଜିକ ପରିବର୍ତ୍ତନକୁ ପ୍ରେରଣା ଯୋଗାଇବ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସମ୍ମାନିତ ହୋଇଥିବା ମହିଳାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁଯୋଗ ନିଶ୍ଚିତ କରିବା ପାଇଁ ସମଷ୍ଟିଗତ ପ୍ରୟାସ ପାଇଁ ମାନ୍ୟବର ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଦ ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ରେସପନ୍ସ ହେଡ୍ ପ୍ରୋଗ୍ୟାବ୍ରତ ବ୍ରହ୍ମ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ୟୁରୋ ଚିଫ୍ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।