ଡାଇରିଆ ନେଲା ଜୀବନ: ସ୍କୁଲର ପ୍ରଧାନଶିକ୍ଷକ ସସପେଣ୍ଡ

ଛାତ୍ରୀଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ, ୧୪/୦୪: ଡାଇରିଆରେ ଆକ୍ରାନ୍ତ ହୋଇ ଛାତ୍ରୀଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍‌ କକାବନ୍ଧ ଆଶ୍ରମ ସ୍କୁଲ୍‌ ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଡାଇରିଆରେ ଆକ୍ରାନ୍ତ ହେବା ପରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

୨ ଦିନ ତଳେ ହଷ୍ଟେଲରେ ପଖାଳ ଭାତ ଖାଇ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଥିବା ପଞ୍ଚମ ଶ୍ରେଣୀ ଛାତ୍ରୀ ରୁପାଲି ବେଶ୍ରାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଥିଲା।

ଅନ୍ୟପଟେ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେହିପରି କକାବନ୍ଧ ଆଶ୍ରମ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଏଥିସହିତ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।