ନୋଏଡା ହିଂସାରେ ପାକିସ୍ତାନ ଲିଙ୍କ୍! ତଦନ୍ତରୁ ବଡ଼ ଷଡ଼ଯନ୍ତ୍ର ଆଭାସ

ରାତାରାତି ହ୍ୱାଟ୍ସଆପ୍ ଗ୍ରୁପ୍ କ୍ରିଏଟ ହୋଇ ଯୋଡ଼ି ହୋଇଥିଲେ ଲୋକ

ନୋଏଡା, ୧୪/୦୪: ନୋଏଡାର ଏକ କାରଖାନାରେ କାମ କରୁଥିବା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଉତ୍ତର ପ୍ରଦେଶର ଶ୍ରମ ମନ୍ତ୍ରୀ ଅନିଲ ରାଜଭର ନୋଏଡାରେ ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ “ସୁଚିନ୍ତିତ ଷଡଯନ୍ତ୍ର” ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଞ୍ଚଳରେ ସମ୍ପ୍ରତି ଆତଙ୍କବାଦୀ ଗିରଫଦାରୀ ପରେ ପୋଲିସ କର୍ତ୍ତୃପକ୍ଷ ପାକିସ୍ତାନ ଲିଙ୍କ୍ ତଦନ୍ତ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ମେରଠ ଏବଂ ନୋଏଡାରୁ ଚାରି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି, ଯାହାଙ୍କ ଲିଙ୍କ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ସହ ଜଡିତ ଥିଲା। ଏପରି ପରିସ୍ଥିତିରେ, ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାର ଷଡ଼ଯନ୍ତ୍ରର ସମ୍ଭାବନା ଅଧିକ ବୃଦ୍ଧି ପାଉଛି।

ତଦନ୍ତରୁ ଜଣାପଡିଛି ଯେ ରାତାରାତି ଏକ ହ୍ୱାଟ୍ସଆପ୍ ଗ୍ରୁପରେ QR କୋଡ୍ ମାଧ୍ୟମରେ ପ୍ରତିବାଦକାରୀମାନଙ୍କୁ ଯୋଡା ଯାଇଥିଲା। ଭିନ୍ନ ଭିନ୍ନ ନାମରେ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲା ଯାଇଥିଲା। ଶ୍ରମିକ ଆନ୍ଦୋଳନ ନାମରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲା ଯାଇଥିଲା, ଯେଉଁଥିରେ କିଛି ଶ୍ରମିକ ସଂଗଠନର ବିଭିନ୍ନ ଗ୍ରୁପକୁ ମେସେଜ୍ ପଠାଯାଇଥିଲା। ଏହି ଗ୍ରୁପ ଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ମେସେଜ ପୋଷ୍ଟ କରାଯାଇଥିଲା ଏବଂ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ପ୍ରଦର୍ଶନକୁ ତୀବ୍ର କରିବା ପାଇଁ ମେସେଜ୍ ପଠାଯାଇଥିଲା। ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ମୋବାଇଲରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ସେହିପରି ଅନ୍ୟ ଏକ କାରଖାନାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏଥିରେ ଲୋକମାନେ ଏକ କାରଖାନାର ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରି ହଙ୍ଗାମା କରୁଥିବାର ଦେଖାଯାଉଛି। ସିସିଟିଭି ଫୁଟେଜ୍‌ରେ କାରଖାନା କର୍ମଚାରୀଙ୍କ ଅଡିଓ ମଧ୍ୟ ଶୁଣିବାକୁ ମିଳୁଛି, ଯେଉଁଥିରେ ସେମାନେ କହୁଛନ୍ତି ଯେ ସେମାନଙ୍କ ମଧ୍ୟରୁ କେହି କାରଖାନା କର୍ମଚାରୀ ନୁହଁନ୍ତି, ସମସ୍ତେ ବାହାରର ଲୋକ। ଏହି ସିସିଟିଭି ଫୁଟେଜ୍ ସେକ୍ଟର ୬୩ ନିକଟସ୍ଥ ଏକ କାରଖାନାର ବୋଲି କୁହାଯାଉଛି। ବିଭିନ୍ନ ସିସିଟିଭି ଭିଡିଓ ଆଧାରରେ, ପୋଲିସ ଦଙ୍ଗାକାରୀଙ୍କୁ ଚିହ୍ନଟ କରୁଛି। ସୋମବାର ଏହି ପ୍ରତିବାଦ ସମୟରେ ପାଖାପାଖି ୪୫ ହଜାର ଶ୍ରମିକ ୮୦ରୁ ଅଧିକ ସ୍ଥାନରେ ଏକାଠି ହୋଇ ଆନ୍ଦୋଳନ କରିଥିଲେ।