କଟକ, ୧୬/୦୪: କଟକରୁ ଅପହରଣ, ପରେ ପୁରୀରେ ଗଣଦୁଷ୍କର୍ମ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କଟକର ଜଣେ ଯୁକ୍ତ ତିନି କଲେଜ ଛାତ୍ରୀଙ୍କୁ ଅପହରଣ ଓ ପରେ ପୁରୀର ଏକ ହୋଟେଲରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି।
ମୁଖ୍ୟ ଅଭିଯୁକ୍ତ ସତ୍ୟବ୍ରତ ପରିଡା ଯାଜପୁର ଜିଲ୍ଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣୀପୁର ଅଞ୍ଚଳର ବାସିନ୍ଦା। ତାକୁ ବୁଧବାର ଯାଜପୁର ରୋଡ୍ ରେଳ ଷ୍ଟେସନ ନିକଟରୁ ପୋଲିସ ଗିରଫ କରିଥିଲା। ତଥାପି, ଅପରାଧରେ ସମ୍ପୃକ୍ତ ଅନ୍ୟ ତିନି ଜଣ ସହଯୋଗୀ ଏବେ ବି ଫେରାର୍ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଏକ କମ୍ପାନୀରେ କାମ କରୁଥିବା ସତ୍ୟବ୍ରତଙ୍କର ସେହି ଯୁବତୀଙ୍କ ସହିତ ପୂର୍ବରୁ ପରିଚୟ ଥିଲା। ଚଳିତ ବର୍ଷ ଫେବୃଆରୀରେ ସତ୍ୟବ୍ରତ କଟକରୁ ଏକ ବାଇକ୍ ଯୋଗେ ଯୁବତୀଙ୍କୁ ଅପହରଣ କରି ତାଙ୍କ ତିନି ବନ୍ଧୁଙ୍କ ସହ ପୁରୀ ନେଇଯାଇଥିବା ଅଭିଯୋଗ ହୋଇଛି। ଚାରି ଅଭିଯୁକ୍ତ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳର ବାସିନ୍ଦା। ସେମାନେ ଦୁଇଟି ମୋଟରସାଇକେଲରେ ପୁରୀ ଯାଇଥିଲେ। ପୁରୀରେ ପହଞ୍ଚିବା ପରେ, ସେମାନେ ଏକ ହୋଟେଲରେ ଉକ୍ତ କଲେଜ ଛାତ୍ରୀଙ୍କୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଦେଇଥିଲେ। ତାହାକୁ ପିଇବା ପରେ ଛାତ୍ରୀ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ଯାହାର ସୁଯୋଗ ନେଇ ସତ୍ୟବ୍ରତ ଏବଂ ତାଙ୍କ ତିନି ବନ୍ଧୁ ତାଙ୍କୁ ହୋଟେଲ ରୁମ ଭିତରେ ଗଣଦୁଷ୍କର୍ମ କରିଥିଲେ।
ଘଟଣା ପରେ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ, ପୋଲିସ ବାକି ତିନି ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଖୋଜାଖୋଜି ଜାରି ରଖିଛି। ଅଭିଯୁକ୍ତ ସତ୍ୟବ୍ରତ ପରିଡାକୁ କୋର୍ଟକୁ ପଠାଯାଇଛି।