କୁର୍ଣ୍ଣୁଲ, ୧୬/୦୪: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ମନ୍ତ୍ରଣାଳୟମ ମଣ୍ଡଳର ଚିଲାକାଲାଡୋନା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ତୀର୍ଥଯାତ୍ରୀ ପିକ୍ଅପ ଭ୍ୟାନକୁ ଧକ୍କା ଦେଇଛି ଟ୍ୟାଙ୍କର। ଯାହାଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ୧୨ ଜଣ ଆହତ ହୋଇଛନ୍ତି।
ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୁର୍ଣ୍ଣୁଲ ଜିଲ୍ଲାର ଧର୍ମପୁର ଟୋଲ୍ ପ୍ଲାଜାଠାରୁ ପ୍ରାୟ ୮-୯ କିଲୋମିଟର ଦୂରରେ ଜାତୀୟ ରାଜପଥ ୧୬୭ରେ ଘଟିଥିଲା। ମନ୍ତ୍ରଣାଳୟମ ଗାଁର ଶ୍ରୀ ରାଘବେନ୍ଦ୍ର ସ୍ୱାମୀ ମଠକୁ ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପିକଅପ୍ ଭ୍ୟାନ୍ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ୨୧ ଜଣ ଯାତ୍ରା କରୁଥିଲେ। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା, ଜଣେ ତିନି ବର୍ଷର ଝିଅ ଏବଂ ଦୁଇଜଣ ପୁରୁଷ ଅଛନ୍ତି। ଏହି ଘଟଣାରେ ପ୍ରାୟ ୧୦ ରୁ ୧୨ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଏମିଗାନୁର ହସ୍ପିଟାଲକୁ ପଠାଯାଇଛି। ପୋଲିସ କହିଛି ଯେ ମୃତକମାନେ କର୍ଣ୍ଣାଟକର ଚିକ୍କାମାଗାଲୁରୁ ଅଞ୍ଚଳର ତୀର୍ଥଯାତ୍ରୀ।
କୁର୍ଣ୍ଣୁଲ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।