ପଶ୍ଚିମବଙ୍ଗରେ ପରିବର୍ତ୍ତନ ସଂକଳ୍ପର ନାରା ଦେଲେ କେନ୍ଦ୍ରମନ୍ତ୍ରୀ
ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର
ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା: ଧର୍ମେନ୍ଦ୍ର ପ୍ରଧାନ
କୋଲକାତା, ୨୧/୦୪: ପଶ୍ଚିମବଙ୍ଗ ପରିବର୍ତ୍ତନ ମୁହାଁ । ବଙ୍ଗଳାର ଜନସାଧାରଣ ଏଥର ଭୟ, ଭ୍ରଷ୍ଟାଚାର ଏବଂ ବିଭାଜନର ରାଜନୀତିକୁ ଶେଷ କରି ବିକାଶ ଓ ସ୍ୱାଭିମାନର ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଆଜି ବରନଗର ଓ ତାଲଡାଙ୍ଗରା ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପଶ୍ଚିମବଙ୍ଗ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଶ୍ରୀ ସଜଲ ଘୋଷଙ୍କ ସମର୍ଥନରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଜନସ୍ରୋତ ବଙ୍ଗଳାରେ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ସେ କହିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ। ମମତା ଦିଦିଙ୍କ ଡରାଇବା ଓ ଧମକାଇବା ରାଜନୀତି ଏବେ ବିଫଳ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀ ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ । ବଙ୍ଗଳାର ହଜିଯାଇଥିବା ଗୌରବକୁ ଫେରାଇ ଆଣିବା ଏବଂ ଏକ ଆତ୍ମନିର୍ଭରଶୀଳ ରାଜ୍ୟ ଗଠନ କରିବା ପାଇଁ ବିଜେପି ପ୍ରତି ଜନସାଧାରଣଙ୍କ ଭରସା ବଢ଼ିବାରେ ଲାଗିଛି ।
ପଶ୍ଚିମବଙ୍ଗର ଯୁବପିଢ଼ି ଆଜି ରୋଜଗାର ଏବଂ ଭଲ ସୁଯୋଗ ପାଇବା ପାଇଁ ଇଚ୍ଛୁକ । ବିଜେପିର ସଂକଳ୍ପ ପତ୍ରରେ ଥିବା ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ଏହି ଆଶାକୁ ପୂରଣ କରିବା ପାଇଁ ଏକମାତ୍ର ମାର୍ଗ । ଯେଉଁ ଭୟ ଓ ଘୃଣାର ରାଜନୀତି ପାଇଁ ବେଙ୍ଗଲବାସୀ ଦିନେ ବାମପନ୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସମାନ କାରଣ ପାଇଁ ଟିଏମସିକୁ ମଧ୍ୟ ବିଦା କରିବାକୁ ମନସ୍ଥ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆଜି ବରନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଗତକାଲି ବାଙ୍କୁଡ଼ା ଜିଲ୍ଲାର ତାଲଡାଙ୍ଗରା ଠାରେ ବିଜେପି ପ୍ରାର୍ଥୀ ସୌଭିକ ପାତ୍ରଙ୍କ ସମର୍ଥନରେ ଆୟୋଜିତ ରୋଡ୍-ସୋ’ରେ ମଧ୍ୟ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ ।