ଆଜ୍ଞାମାଳ ଧରି ଗାଁକୁ ଫେରିଲେ ମା’, ଉତ୍ସବମୁଖର ଦୁଇ ପୀଠ

ତୁମ୍ବା ଓ ଜୟନ୍ତୀପୁରରେ ଷୋଡ଼ଶ ଶାରଦୀୟ ପୂଜା ଆରମ୍ଭ

ପାତ୍ରପୁର, ୦୪/୧୦ (ସୁରେଶ କୁମାର ପଟ୍ଟନାୟକ): ପାତ୍ରପୁର ବ୍ଲକର ତୁମ୍ବା ଓ ଜୟନ୍ତୀପୁର ଗ୍ରାମରେ ଶାରଦୀୟ ପୂଜାକୁ ନେଇ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ତୁମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଲିମେଇଶୁଣି ଏବଂ ଜୟନ୍ତୀପୁରର ଅଧିଷ୍ଠାତ୍ରୀ ଦେବୀ ମା’ ପଶ୍ଚିମେଶ୍ୱରୀଙ୍କ ପୀଠରେ ଷୋଡ଼ଶ ଶାରଦୀୟ ପୂଜା ମହାଆଡମ୍ବର ସହକାରେ ଆରମ୍ଭ ହୋଇଛି। ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ପାରମ୍ପରିକ ରୀତିନୀତିରେ ଏହି ପୂଜା ଚାଲିବ।

ତୁମ୍ବାରେ ମା’ ଲିମେଇଶୁଣିଙ୍କ ଆଜ୍ଞାମାଳ ଆଣିବା ପାଇଁ ସନ୍ଧ୍ୟାରୁ ଭକ୍ତମାନେ ବଡ଼ଘର ପାହାଡ଼ ଅଭିମୁଖେ ଯାତ୍ରା କରିଥିଲେ। ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ଦୂର ପାହାଡ଼ସ୍ଥିତ ପୂର୍ବ ପୀଠରେ ପୂଜାର୍ଚ୍ଚନା ପରେ ମଧ୍ୟରାତ୍ରିରେ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲା। ଏହାପରେ ବାଦ୍ୟବାଜଣା ସହ ଭକ୍ତଙ୍କ ବିରାଟ ପଟୁଆରରେ ମା’ଙ୍କୁ ଗ୍ରାମକୁ ପାଛୋଟି ଅଣାଯାଇଥିଲା। ଗ୍ରାମ ପରିକ୍ରମା ପରେ ମା’ଙ୍କୁ ଅସ୍ଥାୟୀ ପୀଠରେ ବିଜେ କରାଯାଇଛି।ମା’ଙ୍କ ଆଗମନକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଘରଦ୍ୱାର ଲିପାପୋଛା କରାଯାଇ କୁମ୍ଭ, ଦୀପ ଓ ନୂଆ ବସ୍ତ୍ରରେ ସଜାଯାଇଛି। ପ୍ରତିଦିନ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି।ଅନ୍ୟପକ୍ଷରେ ଜୟନ୍ତୀପୁରରେ ମା’ ପଶ୍ଚିମେଶ୍ୱରୀଙ୍କ ଷୋଡ଼ଶ ପୂଜା ମଧ୍ୟ ଆରମ୍ଭ ହୋଇଛି। ଗ୍ରାମ ନିକଟସ୍ଥ ପୀଠରେ ପୂଜାର୍ଚ୍ଚନା ପରେ ମଧ୍ୟରାତ୍ରିରେ ଆଜ୍ଞାମାଳ ପାଇ ମା’ଙ୍କୁ ଗ୍ରାମକୁ ଅଣାଯାଇଥିଲା। ଓଡ଼ିଆ ଓ ତେଲୁଗୁ ବାଦ୍ୟର ତାଳେତାଳେ ଶ୍ରଦ୍ଧାଳୁଙ୍କ ପଟୁଆର ଗ୍ରାମ ପରିକ୍ରମା କରିବା ପରେ ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ବିଜେ କରାଯାଇଛି।ପୂଜା ଅବସରରେ ମା’ଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯାଉଛି। ରଙ୍ଗୀନ ଆଲୋକମାଳାରେ ଗ୍ରାମର ବିଭିନ୍ନ ସାହି ଝଲସି ଉଠିଛି। ଏହି ସମୟରେ ମା’ଙ୍କ ଦର୍ଶନ କଲେ ବିଶେଷ ପୁଣ୍ୟ ଲାଭ ହୁଏ ବୋଲି ବୟୋଜ୍ୟେଷ୍ଠମାନେ କହିଛନ୍ତି।

ଦୁଇ ପୀଠର ପୂଜାକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଆଗମନ ହେଉଛି। ଆଗାମୀ ଦିନଗୁଡ଼ିକରେ ଭଜନ, କୀର୍ତ୍ତନ, ପାରମ୍ପରିକ କଳା ପରିବେଷଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାକୁ ନେଇ ତୁମ୍ବା ଓ ଜୟନ୍ତୀପୁର ଏବେ ଭକ୍ତି ଓ ଉତ୍ସବର ରଙ୍ଗରେ ରଙ୍ଗାୟିତ ହୋଇଛି।