ଝାରସୁଗୁଡ଼ା, ୨୨/୦୪: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା CDMO ଅଫିସର ସେକ୍ସନ ଅଫିସର। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର ଅନିତ କୁମାର ଗୁରୁ।
ଜିଏନ୍ଏମ୍ ଛାତ୍ରମାନଙ୍କୁ ପ୍ରାକ୍ଟିକାଲ୍ ତାଲିମ ଲାଗି ଅନୁମତି ଦେବା ପାଇଁ ଆବେଦନ ପ୍ରକ୍ରିୟାକରଣ ପାଇଁ ଜିଲ୍ଲାର ଜିଏନ୍ଏମ୍ ତାଲିମ ବିଦ୍ୟାଳୟ ଶିକ୍ଷକଙ୍କ ଠାରୁ ୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିବା ଏବଂ ନେଉଥିବାବେଳେ ଝାରସୁଗୁଡ଼ା ସିଡିଏମ୍ଓ କାର୍ଯ୍ୟାଳୟର ସେକ୍ସନ ଅଫିସର ଅନିତ କୁମାର ଗୁରୁ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।
ଲାଞ୍ଚୁଆ ଅଧିକାରୀଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ନର୍ସିଂ ସ୍କୁଲ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଧରିବା ପାଇଁ ପୂର୍ବରୁ ଯୋଜନା କରିଥିଲା ଭିଜିଲାନ୍ସ। ଆଜି ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ବାସଭବନ ସହ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।