ଭୁବନେଶ୍ୱର, ୨୨/୦୪: ସାରା ରାଜ୍ୟରେ ତାତିରେ ଅସ୍ତବ୍ୟସ୍ତ ଜନଜୀବନ। ଖରାର ପ୍ରକୋପ ରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। ଏପ୍ରିଲରୁ ଏତେ ଖରାପ ହେଲାଣି, ମେ’ ବେଳକୁ ଅସମ୍ଭାଳ ହେବ ତାତି।
ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ତାତିରୁ ନିସ୍ତାର ନାହିଁ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୫ ପରେ ମଧ୍ୟ ପୁଣି ତାପମାତ୍ରା ବଢିବାର ଆକଳନ କରିଛି ବିଭାଗ। ୨୫ ପରେ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ଆକଳନ କରାଯାଇଛି।
ଅନ୍ୟପଟେ ଆଜି ୪୧ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର। ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସେହିପରି ୪୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୪୩.୨, ହୀରାକୁଦ ୪୩, ରାଉରକେଲାରେ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି। କେନ୍ଦୁଝରରେ ୪୦.୨ ଡିଗ୍ରୀ ଓ ଚାନ୍ଦବାଲିରେ ୩୯.୬ ଡିଗ୍ରୀ ତାପମାତ୍ରା ରହିଛି।