ପ୍ଲଟ ବ୍ୟବସାୟୀ ସୁଧୀର ହତ୍ୟା ଘଟଣା: ପୁତୁରା ଓ ଝିଆରୀଙ୍କ ସମେତ ୮ ଗିରଫ

ବୃଦ୍ଧି ପାଇବ ଗିରଫଦାରୀ ସଂଖ୍ୟା

ବ୍ରହ୍ମପୁର, ୨୩/୦୪: ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସୁଧୀରଙ୍କ ସମ୍ପର୍କୀୟ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର ଓ ତୁଷାରଙ୍କ ଭଉଣୀ ନିବେଦିତା ପାତ୍ର,ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼ ଓ ଜିତୁନ୍ ପଳେଇ ଆଦି ୮ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏକାଧିକକୁ ଜେରା କରୁଥିବା ଜଣାପଡିଛି। ଗିରଫ ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଜଣାପଡିଛି। ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ପ୍ରାୟ ୧୯ଜଣଙ୍କୁ ଜେରା କରିଥିବା ବେଳେ କେତେ ଜଣ ଗିରଫ ହେବେ ତାହା ପୁଲିସର ସାମ୍ବାଦିକ ସମ୍ମିଳନୀ ପରେ ହିଁ ସ୍ପଷ୍ଟ ହେବ।

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ସୁରତରୁ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପ ଗିରଫ ହୋଇଥିବା ସୂଚନା ମିଳିଛି। ସୁରତ କ୍ରାଇମବ୍ରାଞ୍ଚ ଟିମ୍ ସହ ମିଶି ଓଡ଼ିଶା ପୋଲିସ ଗିରଫ କରିଛି। ସୂର୍ଯ୍ୟ ପ୍ରତାପର ଘର ଉତ୍ତର ପ୍ରଦେଶ ବାରଣାସୀରେ ହୋଇଥିବା ବେଳେ ସେ ହତ୍ୟା ପରଠୁ ଫେରାର୍‌ ଥିଲା, ସୁରତରେ ଲୁଚିକି ରହିଥିଲା।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ସୁଧୀରଙ୍କୁ ଅପହରଣ କରାଯାଇଥିଲା। ଓଡ଼ିଶା ପୋଲିସର ୭ଟି ଟିମ୍ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜୁଥିଲା। ସୁଧୀରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା।