ମିର୍ଜାପୁର, ୨୩/୦୪: ଉତ୍ତରପ୍ରଦେଶର ମିର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଡ୍ରମଣ୍ଡଗଞ୍ଜ ଘାଟିରେ ଚାରିଟି ଗାଡ଼ି ମଧ୍ୟରେ ସିରିଜ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରେକ୍ ଫେଲ୍ ହେବାରୁ ଏକାଧିକ ଗାଡ଼ି ଉପରେ ମାଡ଼ିଗଲା ଟ୍ରକ୍। ଘାଟି ରାସ୍ତାରେ ତଳକୁ ଓହ୍ଲାଇବା ବେଳେ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଟ୍ରକ ସହ ଧକ୍କା ପରେ ବୋଲେରୋରେ ନିଆଁ ଲାଗିଯାଇଥିଲା। ଯାହାଫଳରେ ଡ୍ରାଇଭର ସମେତ ୯ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ଏକ କାରର ଡ୍ରାଇଭର ଏବଂ ଟ୍ରକର ହେଲପର ମଧ୍ୟ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋଲେରୋରୁ ୯ ଜଣଙ୍କ ମୃତଦେହ ଏବଂ କ୍ଷତିଗ୍ରସ୍ତ ଟ୍ରକ ଏବଂ କାରରେ ଫସି ରହିଥିବା ଦୁଇଟି ମୃତଦେହ ବାହାର କରିଛନ୍ତି। ଜୀବନ୍ତ ଦଗ୍ଧ ନଅ ଜଣଙ୍କ ସମେତ ଦଶ ଜଣଙ୍କର ପରିଚୟ ମିଳିଛି।
ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରୁ ଏକ ଚଣା ବୋଝେଇ ଟ୍ରକ୍ ମିର୍ଜାପୁର ଆସୁଥିଲା। ଟ୍ରକ୍ ଟି ଡ୍ରୁମଣ୍ଡଗଞ୍ଜର ବାରକା ଘୁମାନ ମୋଡ଼ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ଏହାର ବ୍ରେକ୍ ଫେଲ୍ ହୋଇଗଲା। ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ଏକ ଅଲ୍ଟୋ କାର, ଏକ ବୋଲେରୋ ଏବଂ ଅନ୍ୟ ଏକ ଟ୍ରକ୍ ସହିତ ଧକ୍କା ହେଲା। ଧକ୍କା ଫଳରେ ବୋଲେରୋରେ ନିଆଁ ଲାଗିଗଲା। ସେହି ସମୟରେ ଅଲ୍ଟୋ କାରଟି ଦୁଇଟି ଟ୍ରକ୍ ମଧ୍ୟରେ ପିଟି ହୋଇଗଲା।
ସୂଚନା ପାଇ ଡ୍ରମଣ୍ଡଗଞ୍ଜ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ଅଗ୍ନିଶମ ବାହିନୀ ବୋଲେରୋର ନିଆଁକୁ ନିୟନ୍ତ୍ରଣ କରିଥିଲା। ପରେ ବୋଲେରୋରୁ ନଅ ଜଣଙ୍କ ମୃତଦେହ ବାହାର କରାଯାଇଥିଲା। କାର ଏବଂ ଟ୍ରକରେ ଫସି ରହିଥିବା ମୃତଦେହଗୁଡ଼ିକୁ ମଧ୍ୟ ବାହାର କରାଯାଇଥିଲା। ବୋଲେରୋର ଡ୍ରାଇଭର ସମେତ ସମସ୍ତ ନଅ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ଜୀବନ୍ତ ଦଗ୍ଧ ହୋଇଥିବା ସମସ୍ତ ଲୋକ ଜିଗ୍ନା ଅଞ୍ଚଳର ନରୈନା ଗାଁର ବାସିନ୍ଦା ଥିଲେ।