ବ୍ରହ୍ମପୁର, ୨୩/୦୪: : ପରିବାରରେ ହିଁ ଥିଲେ ଶତ୍ରୁ। ସମ୍ପତ୍ତି ଭାଗ ବଣ୍ଟା ବିବାଦରୁ ନିଜ ଦାଦାଙ୍କୁ ସୁପାରି ଦେଇ ମାରିଲା ଝିଆରୀ। ଆଉ ଏଥିରେ ସାଥ୍ ଦେଲା ପୁତୁରା। କ୍ରାଇମ ପାର୍ଟନର ସାଜିଲା ଝିଆରୀର ବୟଫ୍ରେଣ୍ଡ୍।
ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଥିବାର ପୋଲିସ କହିଛି। ଏହି ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି।
ଏସ୍ପି ଖୁଲାସା କରି କହିଛନ୍ତି, ଝିଆରୀ ନିବେଦିତା ପାତ୍ର ମୁଖ୍ୟ ଅଭିଯୁକ୍ତ। ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍ କାଳୁ ପ୍ରଧାନ ଏ ସବୁ ନେଇ ଯୋଜନା କରିଥିଲେ। ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ନିବେଦିତା-ତୁଷାର-କାଳୁ ମିଶି ଦାଦାଙ୍କଠୁ ଟଙ୍କା ପାଇଁ ଷଡ଼ଯନ୍ତ୍ର କରିଥିଲେ।
ଅନ୍ୟ ଅଭିଯୁକ୍ତମାନେ ହେଲେ ଜିତୁନ ପଲାଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ, ଜିତୁନ ପଲାଇ ମଧ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି।
ଗତ କିଛି ଦିନ ତଳେ ସୁଧୀରଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ତାଙ୍କ ପରିବାର ସୁଧୀରଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ସୁଧୀର ତାଙ୍କ ଭାଇଙ୍କୁ ଗୁଣି କରି ମାରିଥିବା ସନ୍ଦେହ କରିଥିଲେ ଝିଆରୀ। ଘରେ ଜମି ଭାଗ ବଣ୍ଟାକୁ ନେଇ ମଧ୍ୟ ବିବାଦ ଥିଲା। ଯାହା ପରେ ନିବେଦିତା ସୁପାରୀ ଦେଇ ଦାଦା ହତ୍ୟାର ପ୍ଲାନିଙ୍ଗ କରିଥିଲେ। ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ। ପିଟି ପିଟି ମାରିଥିଲେ, ଧମକାଇବାକୁ ବନ୍ଧୁକ ବ୍ୟବହାର କରିଥିଲେ। ହତ୍ୟାକାଣ୍ଡ ପାଇଁ ଆର୍ଥିକ କାରବାର ମଧ୍ୟ ହୋଇଛି।
ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ନାରାୟଣ ପ୍ରଧାନ ନାଁରେ ଡବଲ ମର୍ଡର ମାମଲା ରହିଛି। ଜିତୁନ ପଲାଇ ନାଁରେ ଏନ୍ଡିପିଏସ୍ ଓ ଦୁଷ୍କର୍ମ ମାମଲା ରହିଛି। ସୂର୍ଯ୍ୟ ପ୍ରତାପ ନାଁରେ ମଧ୍ୟ ପୂର୍ବରୁ ୪ରୁ ୫ ମାମଲା ରହିଛି।