ଆତଙ୍କବାଦୀ ହମଲା, ଗାଁରେ ନିଆଁ ଲଗାଇଦେଲେ

୧୧ ଜଣଙ୍କର ମୃତ୍ୟୁ

ଆବୁଜା, ୨୩/୦୪: ଉତ୍ତର-ପୂର୍ବ ନାଇଜେରିଆର ଏକ ଅପହଞ୍ଚ ଗାଁରେ ଇସଲାମିକ ଆତଙ୍କବାଦୀମାନେ ରାତିସାରା ଆକ୍ରମଣ କରି ୧୧ ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହା ଆଫ୍ରିକାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ନାଇଜେରିଆରେ ସଦ୍ୟତମ ହିଂସାକାଣ୍ଡ ଘଟଣା, ଯାହା ଦୀର୍ଘ ଦିନ ଧରି ଏକ ଜଟିଳ ସୁରକ୍ଷା ସଙ୍କଟ ସହିତ ଲଢ଼ୁଛି।

ମଙ୍ଗଳବାର ବିଳମ୍ବିତ ରାତିରେ ବୋର୍ନୋ ରାଜ୍ୟର ସାମ୍ବିସା ଜଙ୍ଗଲର ପାର୍ଶ୍ୱରେ ଥିବା ଏକ ଦୂରବର୍ତ୍ତୀ ଅଞ୍ଚଳର ପୁବାଗୁରେ ଏହି ଆକ୍ରମଣ ଘଟିଥିଲା। ଇସଲାମିକ ବିଦ୍ରୋହ ବିରୁଦ୍ଧରେ ନାଇଜେରିଆର ଏହି ଅଞ୍ଚଳ ଦୀର୍ଘ ସମୟ ଧରି ଜାରି ରହିଥିବା ଲଢ଼େଇର କେନ୍ଦ୍ରସ୍ଥଳ ଥିଲା। ଗ୍ରାମବାସୀମାନେ କହିଛନ୍ତି ଯେ ସେମାନେ ବୁଧବାର ପୀଡିତମାନଙ୍କୁ କବର ଦେଇଛନ୍ତି ଏବଂ ଏହି ଆକ୍ରମଣକୁ ଉଗ୍ରବାଦୀ ବୋକୋ ହରାମ ଗୋଷ୍ଠୀକୁ ଦାୟୀ କରିଛନ୍ତି।

ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ISWAP ସଦସ୍ୟମାନେ ବୋର୍ନୋର ଆସ୍କିରା ଉବା ଅଞ୍ଚଳରେ ଏକ ସଶସ୍ତ୍ର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୧ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଅନ୍ୟପକ୍ଷରେ, ନାଇଜେରିଆର ସୈନ୍ୟବାହିନୀ କହିଛି ଯେ, ବୋର୍ନୋରେ ISWAP ବିରୋଧରେ ସେନା ଅପରେସନ୍ କରିଥିଲା। ଏହି ଅପରେସନରେ ୩୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଦୀର୍ଘ ଦିନ ଧରି ନାଇଜେରିଆ ଆତଙ୍କବାଦୀ ସଂଗଠନ ବୋକୋ ହରାମ ଏବଂ ISWAP ତଥା ସଶସ୍ତ୍ର ଗ୍ୟାଙ୍ଗ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଛି।