ଅପୂର୍ବା ବୁକ୍ ସପ୍ ଲୋକାର୍ପିତ

ନିରୁତା ସାହିତ୍ୟ ପୁସ୍ତକ ସମ୍ବଳିତ ବୁକ୍ ସପର ଆବଶ୍ୟକତା ପୂରଣ

ଭୁବନେଶ୍ୱର, ୨୪/୦୪: ବିଶ୍ୱ ପୁସ୍ତକ ଦିବସ ଅବସରରେ ରାଜ୍ୟର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ଏବଂ ଅଗ୍ରଣୀ ପୁସ୍ତକ ପ୍ରକାଶନ ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏକ ବୁକ୍ ସପ୍ ଲୋକାର୍ପଣ ହୋଇଯାଇଛି। ସ୍ଥାନୀୟ ୟୁନିଟ୍-୩ରେ ଅବସ୍ଥିତ ଏହି ଅପୂର୍ବା ବୁକ୍ ସପ୍କୁ ରିବନ୍ କାଟି ଯୌଥ ଭାବେ ଲୋକାର୍ପିତ କରି ବରିଷ୍ଠ କବି ଡ. ଫନୀ ମହାନ୍ତି ଓ ବିଶିଷ୍ଟ ପ୍ରଶାସକ କବି ରବି ନାରାୟଣ ସେନାପତି କହିଥିଲେ ଆମ ରାଜଧାନୀରେ ନିରୁତା ସାହିତ୍ୟ ପୁସ୍ତକ ସମ୍ବଳିତ ଏକ ବିଶେଷ ବୁକ୍ ସପର ଆବଶ୍ୟକତା ଥିଲା। ପାଠକମାନେ ନିଜ ମନ ପସନ୍ଦର ପୁସ୍ତକ ପାଇବା ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅପୂର୍ବା ପ୍ରକାଶନୀର ଏହି ବୁକ୍ ସପ୍ ଖୋଲିବା ଦ୍ୱାରା ସେହି ଆବଶ୍ୟକତାର ପୁରଣ ହୋଇ ପାରିଛି। ଏଥିପାଇଁ ସେ ଅପୂର୍ବା ଅଧ୍ୟକ୍ଷ ଗାଳ୍ପିକ କ୍ଷୀରୋଦ ପତିଙ୍କୁ ଅନେକ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ରାଜ୍ୟର ବିଶିଷ୍ଠ ସାହିତ୍ୟିକ ଡ. ହୃଷୀକେଶ ମଲ୍ଲିକ, କବି ଅଶ୍ୱିନୀ କୁମାର ମିଶ୍ର, ଡ. ପ୍ରସନ୍ନ କୁମାର ମହାନ୍ତି, ବିଶିଷ୍ଟ ଲେଖକ ଡ. ବିଜୟ କେତନ ପଟ୍ଟନାୟକ, ରକ୍ଷକ ନାୟକ, ରତ୍ନାକର ରାଉତ, ଭୁବନାନନ୍ଦ ତ୍ରିପାଠୀ, ସବ୍ୟସାଚୀ ପଟ୍ଟନାୟକ, ସନ୍ତୋଷ କୁମାର ରାଉତରାୟ ଅପୂର୍ବାର ପରିଚାଳନା ସଂପାଦିକା ଆଡ଼ଭୋକେଟ ଲୋପାମୁଦ୍ରା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।