୨୦୧୬ରେ ଦାନ ମାଝୀ… ୧୦ ବର୍ଷ ପରେ ଏବେ ଜିତୁ ମୁଣ୍ଡା

ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଶିରୋନାମା ପାଲଟିଛି ଏହି ଅସହାୟତାର କରୁଣ ଦୃଶ୍ୟ

କେନ୍ଦୁଝର, ୨୮/୦୪: ମୃତଦେହକୁ କାନ୍ଧରେ ବୋହିବା ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା। ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ୧୦ ବର୍ଷ ପୂର୍ବରୁ ଘଟିଥିବା ଘଟଣାକୁ ମନେ ପକାଇଦେଇଛି। ୨୦୧୬ରେ କଳାହାଣ୍ଡି ଜିଲ୍ଲାର ଦାନ ମାଝୀ ଶବ ବୁହା ଗାଡ଼ି ନପାଇବାରୁ ନିଜ ପତ୍ନୀଙ୍କ ମୃତଦେହକୁ ହସ୍ପିଟାଲରୁ କାନ୍ଧେଇ କାନ୍ଧେଇ ଘରକୁ ନେଇଥିଲେ। ସେତେବେଳେ ଏହି ଘଟଣା ଯୋଗୁଁ ଓଡ଼ିଶାକୁ ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଥିଲା। ଏବେ ୨୦୨୬ରେ ଏପରି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଟଙ୍କା ପାଇଁ ମାଟି ତଳୁ ଶବ ଖୋଳି ବ୍ୟାଙ୍କକୁ ନେବା ଘଟଣା ସାରା ଦେଶରେ ଯେତିକି ଚର୍ଚ୍ଚା ହେଉଛି ସେତିକି ଆଲୋଡ଼ନ ସୃଷ୍ଟି କରିଛି। ଅତ୍ୟନ୍ତ ଅଭାବନୀୟ ଓ ଅସହାୟତାର କରୁଣ ଦୃଶ୍ୟ ଇଏ।

କେନ୍ଦୁଝର ପାଟଣା ଅଞ୍ଚଳରେ ଭଉଣୀର ଶବକୁ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ ଭାଇ। ୧୯ ହଜାର ୩୦୦ ଟଙ୍କା ପାଇଁ ବ୍ୟାଙ୍କକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ ଜିତୁ। ଭଉଣୀ ମାଲା ମୁଣ୍ଡାଙ୍କର ମଲ୍ଲିପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଉଠାଇବାକୁ ଭାଇ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଯାଉଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବାକୁ ମନା କରିଥିଲେ। ମୃତ୍ୟୁର ପ୍ରମାଣ ମାଗିଥିଲେ। ଆଉ ପ୍ରମାଣ ସ୍ୱରୂପ ଜିତୁ ଭଉଣୀ ୨ ମାସ ତଳୁ ଖବର ଦିଆଯାଇଥିବା ମାଲା ମୁଣ୍ଡାଙ୍କର ଶବକୁ ମାଟି ତଳୁ ଖୋଳି ବ୍ୟାଙ୍କ ନେଇଯାଇଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। ଜିତୁ ମୁଣ୍ଡା ରହୁଥିବା ପାଟଣା ବ୍ଲକ୍‌ ଡିଆନାଳି ଗାଁରେ ପହଞ୍ଚିଛନ୍ତି ଅତିରିକ୍ତ ତହସିଲଦାର, ବିଡିଓ ମାନସ ଦଣ୍ଡପାଟ ଓ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ରିଜିଓନାଲ୍‌ ମ୍ୟାନେଜର। ସେଠାରେ ଜିତୁ ମୁଣ୍ଡାଙ୍କୁ ଭେଟିଛନ୍ତି।

ଅନ୍ୟପଟେ କେନ୍ଦୁଝର ଘଟଣା ହୃଦୟ ବିଦାରକ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଦାନ ମାଝୀଙ୍କ ପରେ ଦ୍ଵିତୀୟ ଘଟଣା, ଏମିତି ଘଟଣା ଯେମିତି ଆଗକୁ ନ ଘଟୁ। ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ। ଜିଲ୍ଲାପାଳ ଏହି ଘଟଣାରେ ତଦନ୍ତ କରିଛନ୍ତି, ଟଙ୍କା ପାଇଲେଣି। ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ତେବେ ଗଣମାଧ୍ୟମରେ ଖବର ପ୍ରସାରଣକୁ ନେଇ ଅଡୁଆରେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ସୁଶାନ୍ତ କୁମାର ସେଠୀ କହିଛନ୍ତି, ମାଲିପୋଷି ଶାଖା କର୍ତ୍ତୃପକ୍ଷ ମୃତ ବ୍ୟକ୍ତିଙ୍କ ଶବ ଆଣିବା ପାଇଁ କହିନଥିଲେ। ମୃତଦେହ ଆଣିଥିବା ଜିତୁ ମୁଣ୍ଡା ସେଦିନ ବ୍ୟାଙ୍କକୁ ପ୍ରଥମ ଥର ଆସିଥିଲେ। ପୂର୍ବରୁ ଆସିଥିବା ନେଇ ଯାହା କୁହାଯାଉଛି ତାହା ସତ୍ୟ ଆଧାରିତ ନୁହେଁ। ବ୍ୟାଙ୍କ କର୍ତ୍ତୃପକ୍ଷ ଉପଯୁକ୍ତ ପ୍ରମାଣପତ୍ର ଆଣିବା ପାଇଁ କହିଥିଲେ। ବ୍ୟାଙ୍କ ପରିସରକୁ ମୃତଦେହ ଆଣିବାରୁ ପୋଲିସକୁ ଖବର ଦିଆଯାଇଥିଲା।