ନୂଆଦିଲ୍ଲୀ, ୨୮/୦୪: ଆଧାର କାର୍ଡ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଆଧାର କାର୍ଡ ଦ୍ୱାରା ପରିଚୟ ପ୍ରମାଣିତ ହୋଇପାରେ। କିନ୍ତୁ ଜନ୍ମ ତାରିଖ ପ୍ରମାଣିତ ହୁଏ ନାହିଁ ବୋଲି କହିଛି UIDAI।
ଆଧାର ଆକ୍ଟ୍ ୨୦୧୬ ଅନୁଯାୟୀ ଆଧାରର ଉଦ୍ଦେଶ୍ୟ ହେଉଛି ଅଥେଣ୍ଟିକେସନ ମାଧ୍ୟମରେ ପରିଚୟ ସ୍ଥାପନ କରିବା। ଆଧାର ଜନ୍ମ ତାରିଖ ୟୁଜର ଦ୍ୱାରା କିମ୍ବା ଅପଡେଟ ସମୟରେ ଦିଆଯାଇ ଥାଏ। ଏହା ଏନରୋଲମେଣ୍ଟ୍ ବା ଅପଡେଟ୍ ସମୟରେ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ଡକ୍ୟୁମେଣ୍ଟ୍ କିମ୍ବା ସେଲ୍ଫ ଡିକ୍ଲାରେସନ୍ (self-declaration) ଉପରେ ଆଧାରିତ। UIDAI ଏହାର ସତ୍ୟତା ଯାଞ୍ଚ କରେ ନାହିଁ।
ବହୁ ସରକାରୀ ବିଭାଗ, ବ୍ୟାଙ୍କ୍, ଶିକ୍ଷା ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଧାରକୁ DOB ପ୍ରୁଫ୍ ଭାବେ ଗ୍ରହଣ କରାଯାଉଛି। ତେଣୁ UIDAI ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛି। ଏହା ପୂର୍ବରୁ ମଧ୍ୟ ୨୦୧୮ ଏବଂ ୨୦୨୩ରେ ସମାନ ସ୍ପଷ୍ଟୀକରଣ ରଖାଯାଇଥିଲା।
ଚାକିରି, ପ୍ରବେଶିକା, ପେନ୍ସନ୍, ଲୋନ୍, ଡ୍ରାଇଭିଙ୍ଗ୍ ଲାଇସେନ୍ସ ଆଦି କ୍ଷେତ୍ରରେ ଯେଉଁଠି ଜନ୍ମ ତାରିଖ ପ୍ରମାଣପତ୍ର ଦରକାର ପଡ଼େ, ସେଠାରେ କେବଳ ଆଧାର ଯଥେଷ୍ଟ ନୁହେଁ।
ସେଠାରେ ଜନ୍ମ ତାରିଖ ପ୍ରମାଣପତ୍ର କିମ୍ବା ଦଶମ ଶ୍ରେଣୀ ମାର୍କସିଟ୍, ପାସପୋର୍ଟ, ସ୍କୁଲ୍ ଲିଭିଙ୍ଗ୍ ସର୍ଟିଫିକେଟ୍ ଆଦି ଡକ୍ୟୁମେଣ୍ଟ୍ ବ୍ୟବହାର କରିବାକୁ ପଡ଼ିବ।