ଅଣକାଶ୍ମୀରଙ୍କୁ ପୁଣି ଟାର୍ଗେଟ: ଦୁଇ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଯେତେ ସୁରକ୍ଷା ଓ ଆଇନ କାନୁନ ଲାଗୁ କଲେ ବି ଜାମ୍ମୁ-କାଶ୍ମୀରେ ଟାର୍ଗେଟ୍ କିଲିଂ ବନ୍ଦ ହୋଇପାରୁନି। ଅନନ୍ତନାଗ ଜିଲ୍ଲା ବୋନ୍ଦିଆଲଗାମର ଏକ ଘରୋଇ ସ୍କୁଲ୍‌ରେ କାର୍ଯ୍ୟରତ ଦୁଇ ଅଣକାଶ୍ମୀର ଲୋକଙ୍କୁ ଗୁଳିମାଡ଼ ହୋଇଛି।
ଦୁଇ ଶ୍ରମିକଙ୍କ ଉପରେ ଖୋଲାଖୋଲି ଗୁଳି କରିଛନ୍ତି ଆତଙ୍କବାଦୀ। ଗୁଳିମାଡ଼ ଖାଇଥିବା ଦୁଇ ଶ୍ରମିକଙ୍କ ମଧ୍ୟରୁ ଜଣେ ବିହାର ଓ ଅନ୍ୟ ଜଣେ ନେପାଳର  ବୋଲି ଜଣାପଡ଼ିଛି। ଦୁଇ ଆହତଙ୍କୁ ଅନନ୍ତବାଗ ଜିଲ୍ଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଅଗଷ୍ଟ ମାସରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର ତୋଇବା ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ନେଇ ଧମକ ଦେବା ପରେ ଆତଙ୍କୀ ଆକ୍ରମଣ ତୀବ୍ର ହୋଇଛି। ଇଲେକ୍ସନ କମିଶନ ଜାମ୍ମୁ-କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକଙ୍କୁ ଭୋଟିଂ ନେଇ ଅଧିକାର ଦେବା ପରେ ଆତଙ୍କବାଦୀ ସଂଗଠନ ଏମିତି ଧମକ ଦେଇଥିଲା। ଆଉ ସେବେଠାରୁ ଆକ୍ରମଣ ତୀବ୍ର ହୋଇଛି।