ବାଲିଅନ୍ତା, ୦୭/୦୫: ପୋଲିସ ସାମ୍ନାରେ ପିଟି ପିଟି ମାରିଦେଲେ। ବାଲିଅନ୍ତାରେ ଏଭଳି ବର୍ବରତା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ପିଟିପିଟି ମାରି ଦିଆଯାଇଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟି ପିଟି ମାରିଦେଇଛନ୍ତି କିଛି ଲୋକ। ୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଯୁବକଙ୍କୁ ପିଟିଛନ୍ତି କିଛି ସ୍ଥାନୀୟ ଲୋକ।
ସୂଚନା ମୁତାବକ, ଅଡଶପୁରର ମୌରାପୁର ଗାଁର ସୌମ୍ୟ ରଞ୍ଜନ ସ୍ବାଇଁ ଜିଆରପି ଥାନାରେ କନଷ୍ଟେବଳ ଭାବରେ ଚାକିରି କରିଥିଲେ। ଏକ ଜିମ୍ ସେଣ୍ଟର ମଧ୍ୟ ଚଳାଉଥିଲେ। ଆଜି ଭିଙ୍ଗାରପୁର ଅଞ୍ଚଳର ଦୁଇ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲେ। କିନ୍ତୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଗଲେ। ଏପରିକି ଉତ୍ତେଜନା ସ୍ଥଳରେ ସ୍ଥାନୀୟ ଥାନାର ଏସଆଇ ଥିଲେ ମଧ୍ୟ ଦେଖଣାହାରୀ ସାଜିଥିଲେ। ଯାହାକୁ ନେଇ ମାନବିକତା ଉପରେ ପ୍ରଶ୍ନ ଉଠିଛି।
ଅନ୍ୟପଟେ ଯୁବକଙ୍କୁ ପିଟି ମାରିବା ଘଟଣାରେ ଡିସିପି ଜଗମୋହନ ମୀନା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏଥିରେ ୩ ପକ୍ଷ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି। ୨ ଯୁବତୀ ସ୍କୁଟିରେ ଯାଉଥିଲେ, ୨ ଯୁବକ ବାଇକ୍ରେ ଓଭରଟେକ୍ କଲେ। ଏହା ପରେ ବାଇକ୍ ଫେରାଇ ଧକ୍କା ଦେଲେ। ଗାଁ ଲୋକ ଝିଅକୁ ଉଦ୍ଧାର କରିବାକୁ ଆସି ପିଟିଲେ। ଜଣଙ୍କର ମୃତ୍ୟୁ ଘଟିଛି, ଆଉ ଜଣଙ୍କର ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ଯୁବତୀ ମଧ୍ୟ ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଏତଲା କରିଛନ୍ତି। ମୃତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଅଭିଯୋଗ କରିଥିବା ଝିଅର ଷ୍ଟେଟମେଣ୍ଟ ମଧ୍ୟ ନିଆଯାଇଛି। ଘଟଣାର ତଦନ୍ତ ଚାଲିଛି।