ତାମିଲନାଡୁରେ ‘ବିଜୟ’ ସରକାର ଆରମ୍ଭ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି

ଚେନ୍ନାଇ, ୧୦/୦୫: ତାମିଲନାଡୁ ରାଜନୀତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ସୁପରଷ୍ଟାର ବିଜୟ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ବିଜୟ ନିଜର ସମ୍ପୂର୍ଣ୍ଣ ନାମ ‘ସି. ଜୋସେଫ ବିଜୟ’ ନାମରେ ଶପଥ ନେଇଛନ୍ତି। ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଜାଗାମ’ (TVK) ମୋଟ ୧୧୮ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବଡ଼ ରାଜନେତା ଏବଂ ସିନେମା ଜଗତର କଳାକାରମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ।

ତେବେ ପ୍ରାୟ ୬୦ ବର୍ଷ ପରେ ତାମିଲନାଡୁରେ ଦ୍ରାବିଡ଼ ପାର୍ଟି (DMK ଓ AIADMK) ବାହାରେ ଏକ ନୂଆ ଦଳ କ୍ଷମତାକୁ ଆସିଛି। ବିଜୟଙ୍କ ଏହି ସଫଳତା ପରେ ତାମିଲନାଡୁର କୋଣ ଅନୁକୋଣରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ବିଜୟ ତାମିଲନାଡୁର ପ୍ରଥମ ଅଣ-ଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି।