କାଡ଼ା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଏକକାଳୀନ ଚଢ଼ାଉ

ଭୁବନେଶ୍ୱର, ୧୪/୦୫: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକର ସିଏଡିଏ (କାଡା) ଡିଭିଜନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ (ଜେଇ) ବିଜୟ କୁମାର ମହାନ୍ତିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କ ସହିତ ଜଡିତ ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗୁରୁବାର ଏକକାଳୀନ ଚଢ଼ାଉ କରାଯାଇଛି।

ବାଲେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚାରି ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି), ଚାରି ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି।

ଭଦ୍ରକ ସହରର ସମରାଇପୁରରେ ଥିବା ମହାନ୍ତିଙ୍କ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ତାଙ୍କ ପୈତୃକ ବାସଭବନ ନରସିଙ୍ଗଡିହାରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭଦ୍ରକରେ ଥିବା ତାଙ୍କ କାର୍ଯ୍ୟାଳୟ ପରିସର ଏବଂ ଭୁବନେଶ୍ୱରର ମାଳିପଡ଼ାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ତଲାସି ଚାଲିଛି। ଚଢାଉ ଏବେ ବି ଜାରି ରହିଛି।