ରାଜ୍ୟରେ ୧୩ ଦିନ ପାଇଁ ତେଲ ଷ୍ଟକ୍ ଅଛି, ଆତଙ୍କିତ ନ ହେବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ତେଲ ଅଛି: IOCL ସିଜିଏମ୍‌

ଭୁବନେଶ୍ୱର, ୧୫/୦୫: ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ ଦେଖା ଦେଉଥିବା ବେଳେ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ପମ୍ପ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଲୋକେ ଆତଙ୍କିତ ହୋଇ ତେଲ ଟିଣ, ଜାର୍‌, ବାଲ୍‌ଟିରେ ପେଟ୍ରୋଲ ବୋହି ନେଉଥିବାର ଦେଖିବାକୁ ମିଳିଛି। ଗାଡ଼ି ବଦଳରେ ଲମ୍ବା ଲାଇନ୍‌ରେ ରଖାଯାଉଛି ବଡ଼ ବଡ଼ ତେଲ ଟିଣ, ଜାର୍‌।

ତେବେ ସଙ୍କଟରୁ ବର୍ତ୍ତିବା ପାଇଁ ୨୦୦ ଟଙ୍କାରୁ ଅଧିକ ତେଲ ନ ଦେବା ପାଇଁ କଟକଣା ଲଗାଯାଇଥିବା ବେଳେ ଜନସାଧାରଣ କିନ୍ତୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥାନରେ ଷ୍ଟକ୍ ନଥିବାରୁ ପେଟ୍ରୋଲ ଟାଙ୍କି ମଧ୍ୟ ବନ୍ଦ ରହିଛି। ଯେଉଁଠି ଷ୍ଟକ୍ ରହିଛି, ସେଠାରେ ରାତି ୪ଟାରୁ ଲୋକେ ଲମ୍ବା ଲାଇନ ଲଗାଉଥିବା ଜଣାପଡ଼ିଛି।

ଏପରି ସ୍ଥିତିରେ ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକ। ଲୋକସେବା ଭବନରେ ତୈଳ ସଙ୍କଟକୁ ନେଇ ଆଲୋଚନା କରିଛନ୍ତି।

ବୈଠକ ପରେ IOCL ସିଜିଏମ୍‌ କମଲ ସିଲ୍‌ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ତେଲ ଅଛି। ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ତେଲ ପାଇଁ ଲୋକ ଭୟଭୀତ ନହୋଇ ଆବଶ୍ୟକ ଅନୁସାରେ କିଣନ୍ତୁ।

ବୈଠକ ପରେ ଯୋଗାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ। ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍‌ ଅଛି। ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ। ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ। ୧୩ ଦିନ ପାଇଁ ଷ୍ଟକ୍‌ ଓଡ଼ିଶାରେ ଅଛି ବୋଲି କହିଛନ୍ତି ମନ୍ତ୍ରୀ।