ରାଜଧାନୀ ଏକ୍ସପ୍ରେସରେ ନିଆଁ

ରତଲାମ ଷ୍ଟେସନ ପାଖରେ ଚଳନ୍ତା ଟ୍ରେନ୍‌ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୧୭/୦୫: ଥିରୁଅନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମଧ୍ୟପ୍ରଦେଶ ରତଲାମ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ଆଜି ଭୋର୍ ସମୟରେ ଟ୍ରେନ୍ ନମ୍ବର ୧୨୪୩୧ ର B-1 କୋଚ୍‌ରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ବେଳେ କୋଚ୍‌ରେ ୬୮ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରୁଟ୍‌ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

ସୂଚନା ମୁତାବକ, ଟ୍ରେନରୁ ଧୂଆଁ ଏବଂ ନିଆଁ ବାହାରୁଥିବା ଦେଖିବା ପରେ ଟ୍ରେନ ଗାର୍ଡ ପ୍ରଥମେ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ। ଏହା ପରେ ଟ୍ରେନକୁ ଅଟକାଇ ଜରୁରୀକାଳୀନ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ନିଆଁକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଭରହେଡ୍ ଇଲେକ୍ଟ୍ରିକ୍ (OHE) ଯୋଗାଣକୁ ତୁରନ୍ତ ବିଚ୍ଛିନ୍ନ କରାଯାଇଥିଲା ଏବଂ ପରେ ପ୍ରଭାବିତ କୋଚ୍‌କୁ ଟ୍ରେନ୍‌ରୁ ଅଲଗା କରାଯାଇଥିଲା।