ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା
ଆମେରିକୀୟ ନୌସେନାର ଏୟାର ସୋ' ପ୍ରଦର୍ଶନ ବେଳେ ଅଘଟଣ
ନୌସେନା ପକ୍ଷରୁ ତଦନ୍ତ ଜାରି
ୱାଶିଂଟନ ଡିସି, ୧୮/୦୫: ଆମେରିକାର ଇଦାହୋ ରାଜ୍ୟର ମାଉଣ୍ଟେନ୍ ହୋମ୍ ଏୟାର୍ ଫୋର୍ସ୍ ବେସ୍ରେ ଏକ ଭୟଙ୍କର ଅଘଟଣ ଘଟିଛି। ଗନ୍ଫାଇଟର୍ ସ୍କାଇଜ୍ (Gunfighter Skies) ଏୟାର୍ ସୋ’ ପ୍ରଦର୍ଶନ ବେଳେ ଆମେରିକୀୟ ନୌସେନାର ଦୁଇଟି ଇଏ-୧୮ଜି ଗ୍ରାଉଲର୍ (EA-18G Growler) ଯୁଦ୍ଧବିମାନ ମଝି ଆକାଶରେ ଧକ୍କା ପରସ୍ପରକୁ ଧକ୍କା ଦେଇଛନ୍ତି। ଏହି ଦୁର୍ଘଟଣା ଇଦାହୋ ବେସ୍ ଠାରୁ ପ୍ରାୟ ୨ ମାଇଲ୍ (୩.୨ କିଲୋମିଟର) ଦୂରରେ ଘଟିଥିଲା।
ଦୁର୍ଘଟଣା ସମୟରେ ଉଭୟ ବିମାନରେ ମୋଟ ୪ ଜଣ କ୍ର୍ୟୁ ଥିଲେ। ପ୍ରତି ବିମାନରେ ଜଣେ ପାଇଲଟ୍ ଓ ଜଣେ ଇଲେକ୍ଟ୍ରୋନିକ୍ ଓ୍ୱାରଫେୟାର୍ ଅଫିସର୍ ଥିଲେ। ଧକ୍କା ପରେ ସମସ୍ତ ଚାରିଜଣ କ୍ର୍ୟୁ ମେମ୍ବର ପାରାଚୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ। ସେମାନଙ୍କୁ ତୁରନ୍ତ ମେଡିକାଲ୍ ଟିମ୍ ପରୀକ୍ଷା କରିଥିଲେ। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। କୌଣସି ଗୁରୁତର ଆଘାତ ଲାଗିନଥିବା ରିପୋର୍ଟ ମିଳିଛି।
ବିମାନ ଦୁଇଟି ଓ୍ୱାଶିଂଟନର ହ୍ୱିଡବେ ଆଇଲ୍ୟାଣ୍ଡ୍ସ୍ଥିତ ଇଲେକ୍ଟ୍ରୋନିକ୍ ଆଟାକ୍ ସ୍କ୍ୱାଡ୍ରନ୍ ୧୨୯ (VAQ-129)ର ଥିଲା। ସେମାନେ ଏୟାର୍ ସୋ’ ସମୟରେ ଏରିଆଲ୍ ଡେମୋନ୍ଷ୍ଟ୍ରେସନ୍ କରୁଥିଲେ। ଧକ୍କା ପରେ ବିମାନ ଦୁଇଟି ତଳେ ପଡ଼ି ଧ୍ୱଂସ ହୋଇଯାଇଥିଲା। ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ଏୟାର୍ ସୋ’ର ବାକି ଅଂଶ ବାତିଲ୍ କରାଯାଇଛି। ଏହା ଇଦାହୋର ୨୦୧୮ ପରେ ପ୍ରଥମ ବଡ଼ ଏୟାର୍ ସୋ’ ଥିଲା। ନୌସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।