୪ ଦିନ ବନ୍ଦ ରହିବ ଏସବିଆଇ ବ୍ୟାଙ୍କ

ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍ ପକ୍ଷରୁ ଧର୍ମଘଟ ଡାକରା

ନୂଆଦିଲ୍ଲୀ, ୨୨/୦୫: ଭାରତର ସର୍ବବୃହତ୍ତମ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI)ର କର୍ମଚାରୀମାନେ ଆସନ୍ତା ମେ ୨୫ ଓ ୨୬ ତାରିଖରେ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। କିନ୍ତୁ ଆସନ୍ତାକାଲି ଠାରୁ ୪ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ ସେବା। ମେ ୨୩ (ଚତୁର୍ଥ ଶନିବାର ଛୁଟି) ଓ ମେ ୨୪ (ରବିବାର ଛୁଟି) ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ ସେବା। ଏହିପରି ଭାବେ ମେ ୨୩ ରୁ ୨୬ ପର୍ଯ୍ୟନ୍ତ ବ୍ୟାଙ୍କ ସେବାରେ ଅସୁବିଧାର ସମ୍ମୁଖୀନ ହେବେ ଗ୍ରାହକ ମାନେ।

ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍ (AISBISF) ଏହି ବନ୍ଦ ଡାକରା ଦେଇଛି। ସେ ୨ ତାରିଖରେ ଏସବିଆଇ ଚେୟାରମ୍ୟାନଙ୍କୁ ଧର୍ମଘଟ ପାଇଁ ନୋଟିସ୍ ଦିଆଯାଇଛି। ଯଦି ଧର୍ମଘଟ ଦିନ ଛୁଟି ପଡ଼େ ତେବେ ଏହା ମେ ୨୭ ତାରିଖକୁ ବଢ଼ାଇ ଦିଆଯିବ ବୋଲି ଫେଡେରେସନ୍ କହିଛି।

ଫେଡେରେସନ୍ ପକ୍ଷରୁ ୧୬ ଦଫା ଦାବି ରଖାଯାଇଛି। ମୁଖ୍ୟ ଦାବିଗୁଡ଼ିକ ହେଉଛି:

– ମେସେଞ୍ଜର୍ ଓ ଆର୍ମଡ୍ ଗାର୍ଡଙ୍କ ପର୍ଯ୍ୟାପ୍ତ ନିଯୁକ୍ତି।

– ବ୍ୟାଙ୍କରେ କର୍ମଚାରୀ ଅଭାବ (staffing shortage) ଦୂର କରିବା।

– ସ୍ଥାୟୀ କାମକୁ ଆଉଟସୋର୍ସିଙ୍ଗ୍ କରିବା ବନ୍ଦ କରିବା।

– ନ୍ୟାସନାଲ୍ ପେନ୍ସନ୍ ସିଷ୍ଟମ୍ (NPS) ଅଧୀନରେ ପେନ୍ସନ୍ ଫଣ୍ଡ୍ ମ୍ୟାନେଜର୍ ବିକଳ୍ପ ଓ ପେନ୍ସନ୍ ପ୍ୟାରିଟି।

– ୨୦୧୯ ପରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଇଣ୍ଟର୍-ସର୍କଲ୍ ଟ୍ରାନ୍ସଫର୍ ସୁବିଧା।

– କର୍ମସ୍ଥଳର ସୁରକ୍ଷା, ମେଡିକାଲ୍ ସୁବିଧା ଓ ଅନ୍ୟାନ୍ୟ ଏଚ୍‌ଆର୍ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛି।

ଫେଡେରେସନ୍ ଅଭିଯୋଗ କରିଛି ଯେ ପୂର୍ବ ଚୁକ୍ତି ଓ ପ୍ରତିଶ୍ରୁତି ପାଳନ ହୋଇନାହିଁ।

ଏହି ଦିନ ଗୁଡ଼ିକରେ ଏସବିଆଇ ଶାଖା ବନ୍ଦ ରହିବ। କାଉଣ୍ଟର୍ କାର୍ଯ୍ୟ, ଲୋନ୍ ପ୍ରକ୍ରିୟା, ଡିପୋଜିଟ୍, ପାସବୁକ୍ ଅପଡେଟ୍, ଚେକ୍ କ୍ଲିୟାରେନ୍ସ ଆଦି ପ୍ରଭାବିତ ହେବ। ଏଟିଏମ୍ ସାଧାରଣତଃ ଚାଲୁ ରହିବ, କିନ୍ତୁ କ୍ୟାଶ୍ ଲୋଡିଙ୍ଗ୍ ସମସ୍ୟା ହୋଇପାରେ।

ଅନଲାଇନ୍/ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ସାଧାରଣତଃ ପ୍ରଭାବିତ ହେବ ନାହିଁ, କିନ୍ତୁ କେତେକ ଟ୍ରାଞ୍ଜାକ୍ସନ ରିଅଲ୍ ଟାଇମ୍ ପ୍ରକ୍ରିୟାରେ ବିଳମ୍ବ ହୋଇପାରେ।