ଭୁବନେଶ୍ୱର, ୨୪/୦୫: ରାଜ୍ୟରେ ଅସହ୍ୟ ହେଉଛି ତାତି ଯନ୍ତ୍ରଣା। ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ରାଜ୍ୟରେ ଏହିପରି ଆଉ ୫ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ୍ ଜାରି ରହିବ। ତାପମାତ୍ରା ୪୦ ଥିଲେ ବି ୪୫ ଡିଗ୍ରୀ ପରି ଅନୁଭୂତ ହେବ। ଆଜି ୪୫ ଡିଗ୍ରୀ ଉପରେ ରହିଛି ୬ ସହରର ତାପମାତ୍ରା। ଟିଟିଲାଗଡ଼ ୪୫.୮ ଡିଗ୍ରୀ, ବୌଦ୍ଧ ୪୫.୬ ଡିଗ୍ରୀ, ଭବାନୀପାଟଣା ୪୫.୪ ଡିଗ୍ରୀ, ସମ୍ବଲପୁର ୪୫.୩ ଡିଗ୍ରୀ, ସୋନପୁର ୪୫.୨ ଡିଗ୍ରୀ ଏବଂ ବଲାଙ୍ଗୀର ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।
ଅନ୍ୟପଟେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ପୂର୍ତ୍ତ ବିଭାଗ। ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ ରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଶ୍ରମିକଙ୍କ ପାଇଁ ରେଷ୍ଟ ସେଡ୍, ପାନୀୟ ଜଳ ଓ ଫାଷ୍ଟ ଏଡ୍ କରିବାକୁ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି।