ଗିରଫଦାରୀରୁ ବର୍ତ୍ତିବା ପାଇଁ ଗୁପ୍ତ କୋଠରୀରେ ୩୨ ବର୍ଷ

ପୋଲିସ ପଞ୍ଝାରେ ହତ୍ୟା ଅଭିଯୁକ୍ତ

ଯାଜପୁର, ୨୪/୦୫: ପୋଲିସ ସହ ଲୁଚକାଳି ଖେଳ ଶେଷ। ୩୨ ବର୍ଷ ପରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ। ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ନୂଆହାଟ ଗ୍ରାମର ରବୀନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ହତ୍ୟା ଅଭିଯୋଗର ୩୨ ବର୍ଷ ପରେ ଗିରଫ କରିଛି। ସେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ।

୧୯୯୪ ମସିହା ଅକ୍ଟୋବର ୨୧ ତାରିଖରେ ରବୀନ୍ଦ୍ର ମଲ୍ଲିକ ତାଙ୍କ ସମ୍ପର୍କୀୟ ପରମାନନ୍ଦ ମଲ୍ଲିକଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ରବୀନ୍ଦ୍ରଙ୍କୁ ୨୬ ବର୍ଷ ବୟସ ହୋଇଥିଲା। ହତ୍ୟା ପରେ ସେ ଫେରାର ହୋଇଯାଇଥିଲେ ଏବଂ କୋର୍ଟ ତାଙ୍କୁ ପଳାତକ ଅଭିଯୁକ୍ତ ଘୋଷଣା କରିଥିଲା।

କିନ୍ତୁ ଏହି ବର୍ଷ ଗୁଡ଼ିକ ମଧ୍ୟରେ ରବୀନ୍ଦ୍ର ନିଜର ନାମ ବଦଳାଇ ନକଲି ଆଧାର ଓ ଭୋଟର ପରିଚୟ ପତ୍ର ବ୍ୟବହାର କରି ହାଇଦ୍ରାବାଦ, କେରଳ ସମେତ ବିଭିନ୍ନ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ସେ ବର୍ଷ ବର୍ଷ ଧରି ନିଜ ପରିବାର ସହ ଗୁପ୍ତ ଯୋଗାଯୋଗ ରଖୁଥିଲେ।

ନିକଟରେ ପୋଲିସକୁ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ ରବୀନ୍ଦ୍ର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗାଁକୁ ଫେରିଛନ୍ତି। ଏହି ସୂଚନା ପାଇ ଶୁକ୍ରବାର ରାତିରେ କୁଆଖିଆ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା।

ପୋଲିସ ଘର ତଳେ ଏକ ଗୁପ୍ତ ଭୂତଳ କୋଠରୀ ପାଇଥିଲା, ଯେଉଁଠାରେ ରବୀନ୍ଦ୍ର ଲୁଚି ରହିଥିଲେ। ଏହି ଗୁପ୍ତ କୋଠରୀଟି ହତ୍ୟା ପରେ ୧୯୯୪ ମସିହାରେ ହିଁ ନିର୍ମାଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ସେ ବର୍ଷ ବର୍ଷ ଧରି ଏହାକୁ ବ୍ୟବହାର କରୁଥିଲେ ବୋଲି ପୋଲିସ ସନ୍ଦେହ କରୁଛି।

ଏପରିକି ରବୀନ୍ଦ୍ର ୧୯୯୮ ମସିହାରେ ବିବାହ କରିଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଏପରି ଘର ଭିତରେ ସିକ୍ରେଟ ରୁମ କରି ରହିଥିଲେ।