ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବ,ସଂଘ ଶିକ୍ଷାବର୍ଗ (ସାମାନ୍ୟ) ସମାରୋପ ଉତ୍ସବ
‘ସମାଜର ପ୍ରତିଟି ଘଟଣାର ସମାଧାନ ପାଇଁ ସଂଘର ଅପେକ୍ଷାରେ ରହିଛନ୍ତି ସାଧାରଣ ଲୋକ’
ଭୁବନେଶ୍ୱର, ୨୫/୦୫: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି ଓ ସଂଘ କାର୍ଯ୍ୟର ଅଭିବୃଦ୍ଧି ନିମନ୍ତେ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ପ୍ରଶିକ୍ଷଣ ବର୍ଗ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ କେଶବ ଧାମ, ଗତିରାଉତ ପାଟଣା ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର ପରିସରରେ ସଂଘର ଏହି ସଂଘଶିକ୍ଷା ବର୍ଗ (ସାମାନ୍ୟ), ଓଡ଼ିଶା ପୂର୍ବର ପ୍ରଶିକ୍ଷଣ ବର୍ଗ ଗତ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ତା ୯.୫.୨୦୨୬ ରିଖରେ ପ୍ରାରମ୍ଭ ହୋଇଥିଲା । ଆଜି ଏହାର ସମାରୋପ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ଉପନିର୍ଦ୍ଦେଶକ ଡକ୍ଟର ମିହିର ଦାସ ସଂଘର ପୂର୍ବକ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଆଦରଣୀୟ ଦୁର୍ଗାପ୍ରସାଦ ସାହୁ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟ ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି, ସଂଘର ଆଦରଣୀୟ ସହ ସରକାର୍ଯ୍ୟବାହ ଶ୍ରୀ ରାମଦତ୍ତ ଚକ୍ରଧରଜୀ ମଞ୍ଚରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି କହିଥିଲେ ଯେ, ବର୍ତ୍ତମାନ ସମୟରେ ସଂଘର ବିଚାର ସବୁଠାରେ ଗ୍ରହଣୀୟ ହୋଇ ପାରିଛି । ସମାଜର ପ୍ରତିଟି ଘଟଣାର ସମାଧାନ ପାଇଁ ସାଧାରଣ ଲୋକଙ୍କ ସଂଘ ଠାରୁ ଅପେକ୍ଷା ରହିଛି । ସଂଘର କର୍ମକର୍ତ୍ତାମାନେ ଚୁପଚାପ ବସି ନ ରହି ସମାଜ ପରିବର୍ତ୍ତନ କାର୍ଯରେ ଲାଗିଛନ୍ତି । ସେଥି ପାଇଁ ସେମାନେ ଅଶେଷ ଧନ୍ୟବାଦର ପାତ୍ର । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସାହୁ କହିଲେ ଯେ ସଂଘ ଆଜି ଶହେ ବର୍ଷ ପୂରଣ କରିଛି । ସଂଘର ସିଦ୍ଧାନ୍ତ ହେଉଛି ଭାରତ ହିନ୍ଦୁ ରାଷ୍ଟ୍ର , ହିନ୍ଦୁମାନେ ହିଁ ଏଠିକାର ପୁତ୍ରରୁପୀ ସମାଜ, ହିନ୍ଦୁମାନଙ୍କ ସଙ୍ଗଠନ ଦ୍ଵାରା ହିଁ ଭାରତ ପରମ ବୈଭବଶାଳୀ ରାଷ୍ଟ୍ର ହେବ । “ସଂଘ ସେବା କ୍ଷେତ୍ରରେ ଅନେକ ବିରଳ ଉଦାହରଣ ସୃଷ୍ଟି କରିଛି । ସଂଘ କେବଳ ଏକ ସଂଗଠନ ନୁହେଁ, ଏହା ହେଉଛି ‘Life Mission of Hindu Nation’ – ହିନ୍ଦୁ ରାଷ୍ଟ୍ରର ଜୀବନ ଧ୍ୟେୟ ଓ ଜାଗରଣର ଏକ ସତତ ପ୍ରୟାସ। ହିନ୍ଦୁ କୌଣସି ମାତ୍ର ଉପାସନା ପଦ୍ଧତି ନୁହେଁ; ହିନ୍ଦୁ ହେଉଛି ଏକ ସମ୍ପୂର୍ଣ ଜୀବନ ପଦ୍ଧତି । ଏହା ମାନବତା, ସଂସ୍କାର, ସହିଷ୍ଣୁତା, କର୍ତ୍ତବ୍ୟବୋଧ ଓ ବିଶ୍ୱକଲ୍ୟାଣର ଚିନ୍ତନକୁ ଆଧାର କରି କାର୍ଯ୍ୟ କରୁଥିବା ଏକ ସନାତନ ଜୀବନ ଦର୍ଶନ । ” ପଞ୍ଚ ପରିବର୍ତ୍ତନକୁ ଗୁରୁତ୍ଵ ଦେଇ ମୁଖ୍ୟବକ୍ତା କହିଥିଲେ ଯେ ପରିବେଶ ସୁରକ୍ଷା, ଛୁଆଁ ଅଛୁଆଁ ଭେଦଭାବର ସମାପ୍ତି, ହିନ୍ଦୁ ପରିବାରର ସଂରକ୍ଷଣ ଓ ସମ୍ବର୍ଦ୍ଧନ , ସ୍ଵଦେଶୀ ଚେତନା ଏବଂ ସ୍ଵଭାଷାର ବ୍ୟବହାର – ଏହି ସମସ୍ତ ପରିବର୍ତ୍ତନ ପ୍ରଥମେ ନିଜଠାରୁ ଆରମ୍ଭ ହେବା ଉଚିତ୍ । ” “ସଂଘର କାର୍ଯ୍ୟ ପଦ୍ଧତି ହେଉଛି ବ୍ୟକ୍ତି ନିର୍ମାଣ ଠାରୁ ରାଷ୍ଟ୍ର ନିର୍ମାଣ ପର୍ଯ୍ୟନ୍ତ । ରାଷ୍ଟ୍ରନିଷ୍ଠ ବ୍ୟକ୍ତି ନିର୍ମାଣ ହେଲେ ହିଁ ଶକ୍ତିଶାଳୀ ଓ ବୈଭବଶାଳୀ ରାଷ୍ଟ୍ରର ନିର୍ମାଣ ସମ୍ଭବ । ” ଭାରତର ପ୍ରାଣ ହେଉଛି ଆଧ୍ୟାତ୍ମିକତା। ବିଶ୍ୱ କଲ୍ୟାଣ ପାଇଁ ଭାରତର ପୁନର୍ଜାଗରଣ ଆବଶ୍ୟକ। ଏହି ମହାଜାଗରଣ କାର୍ଯ୍ୟରେ ଆମେ ସମସ୍ତେ ସହଭାଗୀ ହେବା ଉଚିତ୍ । ଓଡ଼ିଶା ପୂର୍ବ ପ୍ରାନ୍ତର ମୋଟ ୧୯ଟି ଜିଲ୍ଲାର ୧୮୩ଟି ସ୍ଥାନରୁ ୩୦୮ ଜଣ ଶିକ୍ଷାର୍ଥୀ ଏହି ସଂଘ ଶିକ୍ଷା ବର୍ଗରେ ଭାଗ ନେଇଛନ୍ତି। ଏଥିରେ ୨୦୮ଜଣ ବିଦ୍ୟାର୍ଥୀ, ୧୫ ଜଣ ଅଧ୍ୟାପକ ଓ ଶିକ୍ଷକ, ୭୦ ଜଣ ଡାକ୍ତର, ଇଞ୍ଜିନିୟର ତଥା ବିଭିନ୍ନ ଵୃତ୍ତିଧାରୀ ସାମିଲ ଅଛନ୍ତି। ସେହିପରି, ପ୍ରଶିକ୍ଷଣ ପାଇଁ ୨୯ ଜଣ ଶିକ୍ଷକ, ଏବଂ ୫୮ ଜଣ ପ୍ରବନ୍ଧକ ବିଭିନ୍ନ ବ୍ୟବସ୍ଥାରେ ରହିଛନ୍ତି । ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷାର୍ଥୀ ନିଜର ଗଣବେଶ, ଭୋଜନ ଶୁକ୍ଳ , ଯାତାୟାତ ଖର୍ଚ୍ଚ, ଓ ଅନ୍ୟାନ୍ୟ ସମସ୍ତ ବ୍ୟୟ ନିଜେ ବହନ କରିଥାନ୍ତି । ପ୍ରଶିକ୍ଷଣ ବର୍ଗର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ପ୍ରାତଃ ୪ ଟାରେ ଜାଗରଣରୁ ଆରମ୍ଭ ହୋଇ ରାତ୍ରି ୧୦ଟାରେ ଦୀପ ବିସର୍ଜନ ସହ ସମାପ୍ତ ହୋଇଥାଏ। ଏହି ବର୍ଗରେ ଶାରୀରିକ ପ୍ରଶିକ୍ଷଣ ଅନ୍ତର୍ଗତ ଦଣ୍ଡ, ଦଣ୍ଡଯୁଦ୍ଧ, ନିୟୁଦ୍ଧ, ଜଷ୍ଟି, ଯୋଗାସନ, ସମତା ଇତ୍ୟାଦିର ଅଭ୍ୟାସ କରାଯାଇଥାଏ । ସେହିପରି ବୌଦ୍ଧିକ ଓ ଚର୍ଚ୍ଚା ମାଧ୍ୟମରେ ବୈଚାରିକ ସ୍ପଷ୍ଟତା ସହ ସେବା, ସମ୍ପର୍କ ଓ ପ୍ରଚାର ବିଭାଗ ସମ୍ବନ୍ଧୀୟ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥାଏ। ବର୍ଗରେ ବିଭିନ୍ନ ସମୟରେ ଡ ଗୋପାଳ ପ୍ରସାଦ ମହାପାତ୍ର, ଜଗଦୀଶ ପ୍ରସାଦ ଖାଡ଼ଙ୍ଗା, ଡ. ଅନୀଲ କୁମାର ମିଶ୍ର, ରବି ନାରାୟଣ ପଣ୍ଡା, ସୁଦର୍ଶନ ଦାସ, ବିପିନ ପ୍ରସାଦ ନନ୍ଦ ସର୍ବାଧିକାରୀ ବିଶ୍ଵମ୍ୱର ପାଣି , କାର୍ଯ୍ୟବାହ ଶରତ ଚନ୍ଦ୍ର ସେନ, ବର୍ଗ ପାଳକ ଅସିତ କୁମାର ସାହୁ, ମୁଖ୍ୟ ଶିକ୍ଷକ ରାଜେଶ ଜେନା ଏବଂ ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେବା ସହ ବର୍ଗ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିଲେ ।