ପୁରୀରେ ହେବ BRICS ରାଷ୍ଟ୍ରସମୂହର ‘Disaster Risk Reduction Working Group’ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ

ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ

ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ହେବ ଆଲୋଚନା

ଭୁବନେଶ୍ୱର, ୨୫/୦୫: ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ l

ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି।

ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ BRICS ଦେଶମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ-ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି l ଏହି ପରିପ୍ରେକ୍ଷୀରେ BRICS ରାଷ୍ଟ୍ରସମୂହଙ୍କୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀ ପୁରୀଠାରେ ଅୟୋଜିତ ହେବା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରିତ କରିବା ସହ ବିଶ୍ବସ୍ତରରେ ଓଡ଼ିଶାର ଛବିକୁ ଆହୁରି ସମୃଦ୍ଧ କରିବl