ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କର ଭୂମିକା ଆବଶ୍ୟକ: ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀ
ପ୍ରଶାସନ ଓ ଶିକ୍ଷା: ଏକ ଅବିସ୍ମରଣୀୟ ଯାତ୍ରା
ଭୁବନେଶ୍ୱର, ୨୫/୦୫: ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ, ଏହା ସମାଜ ଗଢ଼ିବାର ଏକ ମହାନ ଅଭିଯାନ । ଏହି ଅଭିଯାନରେ କେବଳ ସରକାର ନୁହେଁ, ଶିକ୍ଷକ, ଅଭିଭାବକ, ପ୍ରଶାସନ ଓ ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କର ସହଭାଗୀତା ଆବଶ୍ୟକ ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀ । ଦୀର୍ଘ ପ୍ରଶାସନିକ ଜୀବନର ଅନୁଭୂତି ଓ ଶିକ୍ଷା ପ୍ରତି ତାଙ୍କର ଗଭୀର ଅନୁରାଗ ଏହି ଲେଖାରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି ।
ପୁରୁଣା ସ୍ମୃତି କେବେ କେବେ ମନରେ ନୂଆ ଚିନ୍ତାଧାରାର ସୃଷ୍ଟି କରେ । ଏକ ପୁରୁଣା ସମ୍ୱାଦପତ୍ରର ଖବରକୁ ଦେଖି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀଙ୍କ ମନରେ ଜାଗ୍ରତ ହୋଇଥିଲା ଅନେକ ସ୍ମୃତି ଓ ଶିକ୍ଷା ବ୍ୟବସ୍ଥା ପ୍ରତି ଗଭୀର ଚିନ୍ତନ । ନିଜର ଦୀର୍ଘ ପ୍ରଶାସନିକ ଅନୁଭବ ଆଧାରରେ ସେ ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କ ଭୂମିକାକୁ ଗୁରୁତ୍ୱ ଦେଇଛନ୍ତି ।
ଦିନେ ଘରେ ବସିଥିବାବେଳେ ପୁରୁଣା କାଗଜପତ୍ର ପୃଷ୍ଟା ଲେଉଟାଇଲାବେଳେ ଗୋଟିଏ ସମ୍ୱାଦ ମୋ ଆଖି ସାମ୍ନାରେ ପଡ଼ିଲା I ସମ୍ୱାଦଟିକୁ ତନ୍ନ ତନ୍ନ କରି ପଢ଼ିଲି ଓ ପଢ଼ିଲା ପରେ ମନରେ ଉତ୍କଷ୍ଠା ଜାତହେଲା I କିଛି କଥା ଛାତ୍ରଛାତ୍ରୀ, ଅବିଭାବକ, ଅବିଭାବିକା,ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଶେଷକରି ଯେଉଁମାନେ ଦୈନିକ ଖବର କାଗଜ ପଢ଼ୁଛନ୍ତି ସେମାନଙ୍କ ପାଇଁ ଲେଖିବି I ଆଶା ଏହା ସମସ୍ତଙ୍କ ମନରେ ଆମ ଶିକ୍ଷା ବ୍ୟବସ୍ଥା ଏବଂ ପ୍ରଶାସନିକ ଦକ୍ଷତା ଉପରେ ଗଭୀର ଭାବରେ ରେଖାପାତ କରିବ I
୨/୩/୧୯୮୭ ମସିହାଠାରୁ ୩୧/୧/୨୦୨୨ ବର୍ଷ ସୁଦୀର୍ଘ ଯାତ୍ରା ଓଡ଼ିଶା ପ୍ରଶାସନିକ ସେବାଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ପର୍ଯ୍ୟନ୍ତ I ସେହି ସମୟରେ ଓଡ଼ିଶାର ବିଭିନ୍ନ ଯାଗାରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଥାଏ I କେତେବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ (B.D.O.), ତହସିଲଦାର, କେତେବେଳେ ଅନୁସୁଚିତ ଜାତି ଓ ଜନଜାତି ବିଭାଗର ଅନୁସଚିବ, ଉପସଚିବ, ଯୁଗ୍ନସଚିବ, ଓ ନିର୍ଦ୍ଦେଶକ, ଓବିସି ହିସାବରେ ଅବସ୍ଥାପିତ I ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ନିର୍ଦ୍ଦେଶକ, SCERT I ତେଣୁ ମତେ ଲାଗେ ଶିକ୍ଷା ବିଭାଗ ସହିତ ମୋର ଏକ ଭାବଗତ ସମ୍ପର୍କ ଯୋଡ଼ି ହୋଇ ରହିଛି I ଆହୁରି ମଧ୍ୟ ମୋର ବଡ଼ଭାଇ ସ୍ୱର୍ଗାରହଣ କଲେଣି ସେ ମଧ୍ୟ ଆମ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଥିଲେ I ଏନେକ ବନ୍ଧୁ ପରିଜନ ସାଙ୍ଗସାଥୀ ଆତ୍ମୀୟଜନ ଶିକ୍ଷା ବିଭାଗରେ କାର୍ଯ଼୍ୟ କରିଛନ୍ତି ଏବଂ ଏସବୁ ମୂଳରେ ଏମାନେ ମୋର ପ୍ରେରଣାର ଉତ୍ସ ଥିଲେ I ବଡ଼ମାମୁଁ ସ୍ୱର୍ଗତ ଡ଼କ୍ଟର ଶ୍ରୀରାମ ଚନ୍ଦ୍ର ଦାସ, ଯିଏ ଜଣେ ପ୍ରବୀଣ ଶିକ୍ଷାବୀତ, ରାଜନୈତିକ ବିଷାରଦ ଓ ସମଗ୍ର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ପିଲାମାନଙ୍କୁ ଭଲପାଉଥିବା ଜଣେ ବରିଷ୍ଠ ଶିକ୍ଷାବୀତ I
ଚାକିରୀ ସମୟରେ ଯେବେ ଯେଉଁଠି ଥାଏ, ସେଥିରୁ ଟିକେ ସମୟ କାଢ଼ି ସେ ଅଞ୍ଚଳରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସେବାଶ୍ରମ ହେଉ ବା ଆଶ୍ରମ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହିଭଳି ସବୁ ବିଦ୍ୟାଳୟର ଓ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ କିଛି ସମୟପାଇଁ ଭାବର ଆଦାନ ପ୍ରଦାନ କରେ I ମୋର ନିଜସ୍ୱ ମତ, ଶିକ୍ଷା, ଶିକ୍ଷକ, ଓ ଶିକ୍ଷାଳୟରେ କିଛି ସମୟ ଅତିବାହିତ କଲେ, ଏହା ଆମ ସମସ୍ତଙ୍କ ସମୟର ସଦୁପଯୋଗ ହେବ ଏବଂ ଏହାଦ୍ୱାରା ସେ ଅନୁଷ୍ଠାନ ନିଜକୁ ଗୌରବାନ୍ୱିତ ମନେକରିବା ସଙ୍ଗେ ସଙ୍ଗ ସେହି ଅନୁଷ୍ଠାନରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରେରଣା ପାଇଥାନ୍ତି ଏବଂ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ନିଜକୁ ସେହି ମାର୍ଗରେ ଗଢ଼ିବା ପାଇଁ ନିଜର ଲକ୍ଷସାଧନ କରନ୍ତି I ତେଣୁ ଚାକିରି ଜୀବନରେ ଅନେକ ଶିକ୍ଷାନୁଷ୍ଠାନ ସହିତ ବ୍ୟକ୍ତିଗତ ଭାବରେ ପହଞ୍ଚିଛି ଏବଂ ଅନୁଷ୍ଠାନରେ ଥିବା ମୌଳିକ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଯଥୋଚିତ ଚେଷ୍ଠା କରିଛି I ଲେଖି ବସିଲେ ବହୁତ କଥା ହେବ, ଯାହାକୁ ପର୍ଯ୍ୟାୟକ୍ରେମେ ପାଠକମାନଙ୍କ ପାଇଁ ଲେଖିବି I ଏହି ଛୋଟିଆ ଘଟଣାଟିଏ ମନର ସ୍ମୃତିକୁ ଉଜ୍ଜିବିତ କଲା ତେଣୁ ଭାବଲି ଲେଖିଦେବି I କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଓ ତହସିଲ ଥିବାରୁ ୧୯୯୫ ରୁ ୨୦୦୦ ମସିହା ପର୍ଯ଼୍ୟନ୍ତ ଏକାଧିକ୍ରମେ ପାଞ୍ଚବର୍ଷ ପାଇଁ ତହସିଲଦାର, କୋଷାଅଧିକାରୀ ଓ ଉପନିର୍ଦ୍ଦେଶକ ହିସାବରେ କାର୍ଯ୍ୟକରିଛି ଓ ସେହି ସମୟରେ ପ୍ରାୟ ସମୟ କାଢ଼ି ଛାତ୍ରଛାତ୍ରୀମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରେ I ପରେ ପରେ କେନ୍ଦ୍ରାପଡ଼ାର ଶିଦ୍ଧ ବଳଦେବଜୀଉଙ୍କ କୃପାରୁ ୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ହିସାବରେ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଥିଲା I ସେହି ସମୟରେ ପ୍ରତି ସୋମବାର ଦିନ ଜନଶୁଣାଣି, ୨୦୧୯ର ସାଧାରଣ ନିର୍ବାଚନ ଏବଂ ସବୁ ସମୟରେ ବନ୍ୟା ବାତ୍ୟାର ଭୟ ମଧ୍ୟରେ ସମୟ କାଢ଼ି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ଯାଉଥିଲି ଯାହାର ଏକ ଝଲକ ଖବର କାଗଜ ପୃଷ୍ଠାରେ ବାହାରିଥିବା ସମ୍ୱାଦ ମାଧ୍ୟମରେ ମନମଧ୍ୟରେ ଉଙ୍କି ମାରୁଥିବା ସ୍ମୃତିକୁ ଲେଖିଲି I
ଏହି ପ୍ରସଙ୍ଗରେ ମୋର ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ମତ ଯେ, ଆମେ ସମସ୍ତେ କାୟୋମନ ବାକ୍ୟରେ ଚେଷ୍ଟା କରି ଯେଉଁ ଅନୁଷ୍ଠାନ ଆମକୁ ସମାଜ ଆଗରେ ପ୍ରତିଷ୍ଠିତ କରିଛି ସେହି ଅନୁଷ୍ଠାନମାନଙ୍କ ପାଇଁ ଆମର ମଧ୍ୟ କିଛି ଭୂମିକା ରହିବା ଆବଶ୍ୟକ I ଛାତ୍ର ଛାତ୍ରୀମାନଙ୍କୁ ଦୁଇପଦ ଉପଦେଶ ମୂଳକ କଥା କହିଦେଲେ ଏବଂ ସେମାନଙ୍କୁ ଟିକିଏ ପ୍ରରଣା ଦେଲେ ସେମାନେ ନିଶ୍ଚିତ ଭାବରେ ଏ ରାଜ୍ୟ, ଏ ଦେଶ ଓ ଜାତିପାଇଁ ଜଣେ ଜଣେ ଦାୟିତ୍ୱବାନ ସୁନାଗରିକ ହୋଇ ବାହାରିବେ I ସେମାନଙ୍କର ତ୍ୟାଗ ଓ ତପସ୍ୟା ବଳରେ ଆମ ରାଜ୍ୟ ଓ ଦେଶର ସମୃଦ୍ଧି ନିଶ୍ଚିତ ଘଟିବ ସେ ଗଭୀର ଆତ୍ମବିଶ୍ୱାସ ମୋର ଅଛି ଏବଂ ଆସନ୍ତୁ ଆମେ ସମସ୍ତେ ଶପଥନେବା ଯ଼େ, ଆମର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗୀତା ଏକାନ୍ତକାମ୍ୟ I