ଭୁବନେଶ୍ୱର, ୨୮/୦୫: ଭିଭିଆଇପି (VVIP) ବ୍ୟକ୍ତିଙ୍କ ଗସ୍ତ ସୂଚନା ସୋସିଆଲ୍ ମିଡିଆରେ ଲିକ୍ ହେବା ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ଚେତାବନୀ ଜାରି କରିଛନ୍ତି। ଏ ସମ୍ବନ୍ଧରେ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କ ଗସ୍ତ ସମ୍ପର୍କିତ ସୂଚନା ସେୟାର୍ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନା ଅନୁସାରେ, ସମ୍ପ୍ରତି କେତେକ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲିକ୍ ହେଉଥିବା ଦେଖାଯାଇଛି। ଏହା ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଡାଇରେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ୍ (ଡିଜିପି) ଏବଂ ଇନ୍ସପେକ୍ଟର୍ ଜେନେରାଲ୍ (ଆଇଜି), ଗୁପ୍ତଚର ବିଭାଗ ଏବଂ ଜିଲ୍ଲାପାଳଙ୍କୁ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭିଭିଆଇପି ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ଏବଂ ଗସ୍ତ ସୂଚନାକୁ କୌଣସି ପ୍ରକାରେ ଲିକ୍ ହେବା ନ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏପରି ସୂଚନା ସୋସିଆଲ୍ ମିଡିଆରେ ସେୟାର୍ କରିବେ କିମ୍ବା ଲିକ୍ କରିବେ ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।