ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା

ରାଜ୍ୟସଭା ସାଂସଦ ପଦକୁ ଅଗ୍ରାହ୍ୟ କଲେ

ବେଙ୍ଗାଲୁରୁ, ୨୮/୦୫: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା। ବେଙ୍ଗଲୁରୁ ରାଜଭବନ ଯାଇ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ଏବେ ବେଙ୍ଗାଲୁରୁରେ‌ ନଥିବା ବେଳେ ତାଙ୍କ ସଚିବଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସିଦ୍ଦରମୈୟା।

ସିଦ୍ଧରମୈୟା କହିଛନ୍ତି, “ହାଇକମାଣ୍ଡ ମୋତେ ଇସ୍ତଫା ଦେବାକୁ କହିବା ପରେ, ମୁଁ ଆଜି ମୋର ଇସ୍ତଫାପତ୍ର ପ୍ରଦାନ କରିଛି। ମୁଁ ନିଶ୍ଚିତ ଯେ ରାଜ୍ୟପାଳ ଆସିଲେ, ସେ ଏହାକୁ ଗ୍ରହଣ କରିବେ, କାରଣ ଏହା ସମ୍ବିଧାନ ଅନୁଯାୟୀ ହେବାକୁ ପଡିବ। ମୋତେ ଏହି ସୁଯୋଗ ଦେବା ପାଇଁ ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି।”

ହାଇକମାଣ୍ଡ ମୋତେ ରାଜ୍ୟସଭାକୁ ଯିବାକୁ କହିଥିଲେ, କିନ୍ତୁ ମୁଁ ବିନମ୍ରତାର ସହିତ ମନା କରିଦେଲି। ଲୋକମାନେ ମୋତେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ କରିଛନ୍ତି। ମୁଁ ଏଠାରେ ରହି ରାଜନୀତି କରିବି। ମୁଁ ସକ୍ରିୟ ରାଜନୀତିରେ ରହିବି।

ସିଦ୍ଧରମୈୟା ଆହୁରି ମଧ୍ୟ କହିଛନ୍ତି, “ମୁଁ କେବେ ଅଧିକାରୀ କିମ୍ବା ଟଙ୍କା ପଛରେ ଗୋଡ଼ାଇ ନାହିଁ, କିମ୍ବା ସମ୍ପତ୍ତି ଅର୍ଜନ କରିନାହିଁ। ଭୋଟରଙ୍କ ସେବା କରିବା ମୋର ପ୍ରାଥମିକତା। ମୁଁ ୫୦ ବର୍ଷ ଧରି ରାଜନୀତିରେ ଅଛି। ମୋର ରାଜନୈତିକ ଜୀବନ ଏକ ଖୋଲା ପୁସ୍ତକ।”